ଭୁବନେଶ୍ୱର:ଏଣିକି ଅଙ୍ଗନୱାଡି ସୁପରଭାଇଜର ଚାକିରି ପାଇଁ ଗ୍ରାଜୁଏଶନ(ସ୍ନାତକ) ଡିଗ୍ରୀ ଦରକାର । ଏଥିପାଇଁ ରାଜ୍ୟ ସରକାର ଓଡିଶା ମହିଳା ଓ ଶିଶୁ ବିକାଶ ସେବା ସଂଶୋଧନ ରୁଲ-୧୯୮୯କୁ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଅନୁଯାୟୀ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଜୁନିୟର ଗ୍ରେଡ ସେବା(ସୁପରଭାଇଜର) ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ବଦଳରେ ସ୍ନାତକ କରାଯାଇଛି । ଏହି ସଂଶୋଧିତ ନିୟମ ନୂତନ ଅଙ୍ଗନୱାଡି କର୍ମୀଙ୍କ ନିଯୁକ୍ତି ପାଇଁ ଲାଗୁ ହେବ । ତେବେ ଏହି ନୂତନ ନିୟମ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ସେମାନଙ୍କ ପାଇଁ ପୂର୍ବଭଳି ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ରହିବ । ମହିଳା ଓ ଶିଶୁ ବିକାଶ ବିଭାଗର ପାରଦର୍ଶିତାକୁ ବୃଦ୍ଧି ସହ ଏକ ଉନ୍ନତ ମାନବ ସମ୍ବଳ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ଓଡିଶା ମହିଳା ଓ ଶିଶୁ ବିକାଶ ସେବା ସଂଶୋଧନ ରୁଲ-୨୦୨୫ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବୁଧବାର ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ମିଶାଇ ୫ଟି ବିଭାଗର ମୋଟ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିସହିତ କ୍ୟାବିନେଟରେ ଓଡିଶା କଲ୍ୟାଣ ସେବା ଓ ଓଡିଶା ସବୋର୍ଡିନେଟ କଲ୍ୟାଣ ସେବା ପୁନର୍ଗଠନ ପ୍ରସ୍ତାକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ପୁନର୍ଗଠନରେ ବିଭିନ୍ନ ବର୍ଗର ମୋଟ ୨୪ଟି ପଦବୀ ସୃଷ୍ଟି କରାଯିବ । ଆଦିବାସୀମାନଙ୍କ ଉନ୍ନତୀ ପାଇଁ ଏହା କାର୍ଯ୍ୟ କରିବ ।