ପୁଅର ପାଠପଢା ଖର୍ଚ୍ଚ ବହନ କରିବେ ସରକାର
ଭୁବନେଶ୍ୱର: ଜମ୍ମୁ କାଶ୍ମୀରର ପେହଲଗାମ ଠାରେ ଉଗ୍ରପନ୍ଥୀଙ୍କ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ
ଶତପଥୀଙ୍କ ପରିବାର ପାଇଁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସ୍ୱର୍ଗତ ପ୍ରଶାନ୍ତଙ୍କ ନିକଟତମ ଆତ୍ମୀୟଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କ ପାଇଁ ନିଯୁକ୍ତି ଦିଆଯିବା ସହିତ ତାଙ୍କ ପୁଅର ପାଠପଢା ପାଇଁ ଆବଶ୍ୟକ ବ୍ୟବସ୍ଥା ରାଜ୍ୟ ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ।
ଏହି ଆତଙ୍କବାଦୀ ଘଟଣାର ତୀବ୍ରନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉଗ୍ରପନ୍ଥୀ ମାନଙ୍କ କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ ଓ କାପୁରୁଷୋଚିତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ମୁଖ୍ୟମନ୍ତ୍ରୀ ଗୁରୁବାର ସକାଳେ ବାଲେଶ୍ୱର ଜିଲ୍ଲାର ଇସାଣି ଗାଁରେ ପହଞ୍ଚି ସ୍ୱର୍ଗତ ପ୍ରଶାନ୍ତ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶତପଥିଙ୍କ ମରଶରୀର ତାଙ୍କ ଗାଁ ମାଟି ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ଇସାଣି ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ୨୦ ମିନିଟ୍ ସମୟ ଅତିବାହିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହାପରେ ସ୍ୱର୍ଗତ ପ୍ରଶାନ୍ତଙ୍କ ଶବାଧାର ସହ ଶ୍ମଶାନକୁ ମଧ୍ୟ ଯାଇ ଶେଷ ଦର୍ଶନ କରିଛନ୍ତି।
ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।।