ଭୁବନେଶ୍ୱର: କାମ ଦେଉନି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ । ଏହି ଯୋଜନା ଉଦଘାଟନ ହେବାର ୧୫ ଦିନ ବିତିବାକୁ ବସିିଲାଣି । ଏହାସତ୍ତ୍ୱେ ଘରୋଇ ଡାକ୍ତରଖାନା ଏହାକୁ ଗ୍ରହଣ କରୁ ନାହାନ୍ତି ବୋଲି ରାଜ୍ୟର ବିଭିନ୍ନ ଜିଲାରୁ ପୁଳାପୁଳା ଅଭିଯୋଗ ଆସିଲାଣି । ରୋଗୀମାନେ ନିଜ ହାତରୁ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି । ଭୁବନେଶ୍ୱରରେ ଘରୋଇ ହସ୍ପିଟାଲଗୁଡିକ ଆୟୁଷ୍ମାନ ଭାରତ କାର୍ଡ ଗ୍ରହଣ କରୁ ନ ଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏପ୍ରିିଲ ୧୨ ତାରିଖରେ ପୁରୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି, ନଡ୍ଡା ଶୁକ୍ରବାର ଐତିହାସିକ ବାଲିଯାତ୍ରା ପଡିଆରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦାନ ଯୋଜନାର ଲୋକର୍ପଣ କଲେ । ଓଡିଶାର ୩ କୋଟି ୪୬ ଲକ୍ଷ ଲୋକ ଏହି ଯୋଜନାରେ ଲାଭାନ୍ୱିତ ହେବେ । ରାଜ୍ୟର ମୋଟ ୩.୧ କୋଟି ପରିବାରକୁ ଆୟୁଷ୍ମାନ କାର୍ଡ ମିଳିବ ବୋଲି ଘୋଷଣା କରାଗଲା । ଏଥିରେ ପରିବାରର ପୁରୁଷ ସଦସ୍ୟମାନଙ୍କୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ସମସ୍ତ ୭୦ ବର୍ଷ ଅଥବା ତଦୁର୍ଦ୍ଧ ନାଗରିକମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଦେଶର ୨୯ ହଜାର ହସ୍ପିଟାଲରେ ଆୟୁଷ୍ମାନ ଯୋଜନା ସେବା ଉପଲବ୍ଧ ହେବ । ଏହି ଯୋଜନାର ଶୁଭାରମ୍ଭ ହେବା ପରେ ରାଜ୍ୟ ଓ ବାହାରେ ରହୁଥିବା ଓଡିଆ ଲୋକମାନଙ୍କୁ ମାଗଣାରେଉନ୍ନତମାନର ଚିକିତ୍ସା ସେବା ମିଳି ପାରିବ । ଆୟୁଷ୍ମାନ ଯୋଜନାରେ ପ୍ରତ୍ୟେକ ପରିବାର ପିଛା ଗୋଟିଏ କାର୍ଡ ଦିଆ ନ ଯାଇ ପରିବାର ପ୍ରତ୍ୟେକ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ କାର୍ଡ ଦିଆଯିବ ବୋଲି ଘୋଷଣା କରାଗଲା । ଏହି କାର୍ଡ ଶୁଭାରମ୍ଭ କରିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଅଚଳ ହୋଇ ଗଲା । ଏହି ଯୋଜନା ଆରମ୍ଭ ହେବା ପରେ ରାଜ୍ୟର କୋଣସି ଘରୋଇ ଡାକ୍ତରଖାନା ଆଉ ବିଜୁ ସ୍ୱାସ୍ଥ୍ୟ କାର୍ଡ ନେଉ ନାହାନ୍ତି । ଅନ୍ୟ ପକ୍ଷରେ ଆୟୁଷ୍ମାନ ଭାରତ ଯୋଜନା କାର୍ଡ ବି କାମ କରୁ ନାହିଁ । ଏଭଳି ପରିସ୍ଥିତିରେ ରୋଗୀମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଅନେକ ସ୍ଥାନରେ ରୋଗୀ ଚିକିତ୍ସିତ ନ ହୋଇ ପାରି ମୃତ୍ୟୁ ହେଉଥିବା ଘଟଣା ମଧ୍ୟ ପଦାକୁ ଆସୁଛି । ଏହି କାର୍ଡରେ ସ୍ୱାସ୍ଥ୍ୟ ସେବା ଲୋକଙ୍କୁ ମିଳିବ କି ନାହିଁ ସେନେଇ ରୋଗୀ ଓ ତାଙ୍କ ପରିବାର ସଦସ୍ୟମାନେ ଆଶଙ୍କାରେ ରହିଛନ୍ତି ।