
ଭୁବନେଶ୍ୱର: ଆସନ୍ତା ମେ ୧ ତାରିଖରୁ ରବିଋତୁ ଧାନ କ୍ରୟ କରାଯିବ । ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ଖରିଫ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କ ଠାରୁ ୭୩ ଲକ୍ଷ ୪୫ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଏଥିପାଇଁ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୬ ହଜାର ୮୫୩ କୋଟି ଟଙ୍କା ଏବଂ ଇନପୁଟ ସବସିଡ ବାବରେ ୫୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଚଳିତ ଖରିଫ ଋତୁ ପାଇ୍ୟ ଆସନ୍ତା ମେ ୧ ତାରିଖରୁ ଜୁନ ୩୦ ତାରିଖ୍ ପର୍ଯ୍ୟନ୍ତ ଧାନ କିଣାଯିବ । ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଯାହାକି ଗତ ବର୍ଷ ତୁଳନାରେ ପ୍ରାୟ ୧୨୨ ପ୍ରତିଶତ ଅଧିକ । ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ ଓ ଭଦ୍ରକ ଜିଲାରୁ ଧାନ କିଣା ଆରମ୍ଭ ହେବ । ରବି ଋତୁରେ ମୋଟ ୨୦ଟି ଜିଲାରେ ୯୬୫ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ କିଣା ହେବ । ଏଥିରେ ୨୦୦ ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହେବେ । ଯୋଗ୍ୟ ଚାଷୀ ଯେପରି ଧାନ ବିକିବାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।