ଭୁବନେଶ୍ୱର: ପ୍ରତିରକ୍ଷା ବାହୀନିର ଆତଙ୍କବାଦୀ ଅପରେଶନର ସିଧାସଳଖ ପ୍ରସାରଣ ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲଗାଇଛନ୍ତି । କୌଣସି ଟିଭି ଚ୍ୟାନେଲ ଆତଙ୍କବାଦୀ ସହ ସଂଘର୍ଷ କିମ୍ବା ସେନାବାହିନୀର ଗତିବିଧିକୁ ନେଇ ସିଧାସଳଖ ଖବର ପ୍ରସାରଣ କରି ପାରିବେ ନାହିଁ । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀର ଗତିବିଧିକୁ ନେଇ କୌଣସି ପ୍ରକାର ସିଧାସଳଖ ପ୍ରସାରଣ ନ କରିବାକୁ ପରାମର୍ଶ ଦିଆଯାଇଛି । କାର୍ଗିଲ ଯୁଦ୍ଧ, ମୁମ୍ବାଇ ଆକ୍ରମଣ ଏବଂ କାନ୍ଦାହାର ବିମାନ ଅପହରଣ ସମୟରେ ସିଧାସଳଖ ପ୍ରସାରଣ ଯୋଗୁ ଜାତୀୟ ସ୍ୱାର୍ଥକୁ କ୍ଷତି ପହଞ୍ଚିଥିଲା । ଜାତୀୟ ସୁରକ୍ଷା ପାଇଁ ଗଣମାଧ୍ୟମ, ଡିଜିଟାଲ ପ୍ଲାଟଫର୍ମ ଏବଂ ବ୍ୟକ୍ତି ବିଶେଷଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ଆଇନଗତ ବ୍ୟବସ୍ଥା ଛଡା ସମସ୍ତଙ୍କର ମିଳିତ ଭାବେ ଦେଶର ସୁରକ୍ଷା ବାହିନୀଙ୍କ ପ୍ରତି କର୍ତ୍ତବ୍ୟ ରହିଛି । କେବୁଲ ଟେଲିଭିଜନ ନେଟୱାର୍କ ସଂଶୋଧନ ରୁଲସ-୨୦୨୧ ଅନୁଯାୟୀ ଆତଙ୍କବାଦୀ ବିରୋଧରେ ଚାଲିଥିବା ଅପରେଶନ ବେଳେ କୌଣସି କେବୁଲ ଟିଭି ଚ୍ୟାନେଲ ସିଧାସଳଖ ଖବର ପ୍ରକାଶନ କରି ପାରିବେ ନାହିଁ ।