ଭୁବନେଶ୍ୱର: ପାରାଦୀପରେ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ । ଏଥିସହିତ ୧୫ ଜିଲାରେ ହେଲିପ୍ୟାଡ ମଧ୍ୟ ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାଛଡା ରାଜ୍ୟରେ ଥିବା ଏୟାରଷ୍ଟ୍ରିପ ଓ ହେଲିପ୍ୟାଡଗୁଡିକର ଭିତ୍ତିଭୁମି ମଧ୍ୟ ବିକାଶ କରାଯିବ । ବିମାନ ସେବା ଭିତ୍ତିଭୁମି ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦେଶଳାୟ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ । ଏହି ନିର୍ଦ୍ଦେଶାଳୟ ବିମାନସେବା ସମ୍ପର୍କିତ ଭିତ୍ତିଭୁମି କାର୍ଯ୍ୟ ତଦାରଖ କରିବ । ପାରାଦୀପରେ ପେଟ୍ରେକେମିକାଲ ଶିଳ୍ପ ପ୍ରତିଷ୍ଠା ହୋଇଥିବାରୁ ଅଧିକ ପୁଞ୍ଜିନିବେଶ ପାଇଁ ବିମାନ ବନ୍ଦର ବିଶେଷ ସହାୟକ ହେବ । ଏହାର ରାଜ୍ୟର ଅର୍ଥନୈତିକ ଦିଗକୁ ଗତିଶୀଳ କରିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢୀ କହିଛନ୍ତି ।