
ଭୁବନେଶ୍ୱର: ବିପ୍ଳବୀ ଧରଣୀଧର ନାଏକଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ଅତିଥି ଭବନ ପ୍ରତିଷ୍ଠା କରାଯିବ । ଏଥିସହିତ ଯେଉଁ ସ୍ମୃତିପୀଠ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି ସେଥିରେ ଧରଣୀଧରଙ୍କ ପୈତୃକ ବାସଗୃହର ସଂରକ୍ଷଣ କରାଯିବ ଏବଂ ତାଙ୍କ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ କରି ରଖାଯିବ । ଧରଣୀଧରଙ୍କ ଘର ପାଖରେ ୨ ଏକର ଜମିରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ସହିତ ଏକ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ସ୍ଥାପନ ହେବ । ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
କେନ୍ଦୁଝର ଜିଲ୍ଲାର କୁସୁମିତାଠାରେ ସୋମବାର ଅନୁଷ୍ଠିତ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ବ୍ୟୟ ବରାଦରେ କୁସୁମିତାଠାରେ ସ୍ମୃତି ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ, ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦରେ ସମୁଦାୟ ୩୪୦ଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧରଣୀଧର ବିପ୍ଳବ ସହିତ ଆଧ୍ୟାତ୍ମିକତାର ପ୍ରତୀକ ଥିଲେ । ତାଙ୍କ ଦୃଢ଼ ସଂକଳ୍ପ, ଦେଶପ୍ରେମ ଓ ତ୍ୟାଗ ଯୁବପିଢ଼ି ପାଇଁ ପ୍ରେରଣା ହୋଇ ରହିଛି । ରାଜ୍ୟ ସରକାର ତାଙ୍କ ସ୍ମୃତିକୁ ଅମର କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି ।
କେନ୍ଦୁଝରରେ ଖୁବଶୀଘ୍ର ଜେଏସଡବ୍ଲୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ । ଏଥିସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୩୦ରୁ ୩୫ ହଜାର ଯୁବକ ଯୁବତୀ ରୋଜଗାର ପାଇବେ । ଶିଳ୍ପ ପ୍ରତିଷ୍ଠାନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ, ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।