
ଭୁବନେଶ୍ୱର: ବହୁ ପ୍ରତୀକ୍ଷା ପରେ ବିଜେଡି ଶେଷରେ ରାଜ୍ୟସ୍ତରୀୟ ସାଂଗଠନିକ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି । ଏନେଇ ସୋମବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏହି ନୂଆ ସଂଗଠନରେ ୧୫ ଜଣ ଉପସଭାପତି ଥିବା ବେଳେ ଜଣେ କୋଷାଧ୍ୟକ୍ଷ ଓ ୫୫ ଜଣ ସାଧାରଣ ସମ୍ପାଦକ ରହିଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ବରିଷ୍ଠ ଉପସଭାପତି ଥିବା ବେଳେ ୨୧ ଜଣ ବରିଷ୍ଠ ସାଧାରଣ ସମ୍ପାଦକ ରହିଛନ୍ତି । ତେବେ ପୂର୍ବରୁ ଥିବା କ୍ଷମତାଶାଳୀ ସାଂଗଠନିକ ସମ୍ପାଦକ ପଦବୀକୁ ନୂଆ ତାଲିକାରୁ ହଟାଇ ଦିଆଯାଇଛି । ଏହି ପଦବୀରେ ପ୍ରଣବ ପ୍ରକାଶ ଦାସ ଥିଲେ । ଏବେ ତାଙ୍କୁ ଉପସଭାପତି ଭାବେ ନବୀନ ନିଯୁକ୍ତି ଦେଇଛନ୍ତି । ଦଳ ପକ୍ଷରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରତାପ ଜେନାଙ୍କୁ ବିଜେଡି ମୁଖ୍ୟାଳୟର ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପ୍ରଫୁଲ୍ଲ ସାମଲ, ଉଷାଦେବୀ, ବିକ୍ରମକେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବିନାରାୟଣ ନନ୍ଦ, ଅଶ୍ୱିନୀ ପାତ୍ର, ପ୍ରଣବ ପ୍ରକାଶ ଦାସ ଏବଂ ସାରଦା ପ୍ରସାଦ ନାୟକଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଛି । କଟକ ମେୟର ତଥା ବିଜେଡିର ବରିଷ୍ଠ ନେତା ସୁବାସ ସିଂହଙ୍କୁ କୋଷାଧ୍ୟକ୍ଷ କରାଯାଇଛି । ସେହିପରି ସାଧାରଣ ସମ୍ପାଦକ ଭାବେ ପୂର୍ବତନ ଏମପି କଳିକେଶ ନାରାୟଣ ସିଂହଦେଓ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରମେଶଚନ୍ଦ୍ର ମାଝୀ, ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ୫୫ ଜଣଙ୍କୁ ନବୀନ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ।
ସେହିପରି, ସେହିପରି ବିଜେଡି ରାଜନୀତି ବ୍ୟାପାର କମିଟିରେ ନବୀନଙ୍କୁ ମିଶାଇ ୧୦ ଜଣ ସଦସ୍ୟ ରହିଛନ୍ତି । ଏହି କମିଟିରେ ନବୀନ ପଟ୍ଟନାୟକ ଅଧ୍ୟକ୍ଷ ଥିବା ବେଳେ ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଏବଂ ସନ୍ତୃପ୍ତ ମିଶ୍ର ସଦସ୍ୟ ରହିଛନ୍ତି । ଏହି କମିଟି ଦଳର ରାଜନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବ ।
ସେହିପରି, ବିଜେଡି ସଂଖ୍ୟାଲଘୁ ସେଲରେ ଦିଲୀପ ତୀର୍କିଙ୍କୁ କନଭେନର ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ରିଜୱାନା ବେଗମ, ମୁଜିବୁଲ୍ଲା ଖାଁ, ଆୟୁବ ଖାଁ ଏବଂ ସେକ ନିଜାମୁଦ୍ଦିନଙ୍କୁ ସହ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।