
ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ହୋଇ ପାରିବନାହିଁ ବୋଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ କହିଛନ୍ତି । ସେ କହିଛନ୍ତି ଯେ, ଏହା କେବଳ ଶ୍ରୀଜଗନ୍ନାଥ ମନ୍ଦିର । ଏହାକୁ ଜଗନ୍ନାଥ ଧାମ କିମ୍ବା ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଅଥବା ଶ୍ରୀକ୍ଷେତ୍ର କୁହାଯାଇପାରିବନାହିଁ । ବିଶ୍ୱରେ ଜଗନ୍ନାଥ ଧାମ କେବଳ ପୁରୀ । ଆଉ ଏହା ହେଉଛି ପୁରାଣବର୍ଣ୍ଣିତ ଚାରିଧାମ ମଧ୍ୟରୁ ଅନ୍ୟତମ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ସମ୍ପର୍କରେ ସୋମବାର ଗଜପତି ମହାରାଜା ଏକ ପ୍ରେସ ରିଲିଜ୍ ଜରିଆରେ ଏହା କହିଛନ୍ତି । ସେ କହିଛନ୍ତି, ପୁରୀ ହେଉଛି ମହାପ୍ରଭୁଙ୍କ ଆଦ୍ୟ ଓ ନିତ୍ୟପୀଠ । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତି ଶାସ୍ତ୍ରୀୟ ରୀତି ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଶ୍ରୀକ୍ଷେତ୍ର କିମ୍ବା ଜଗନ୍ନାଥ ଧାମ ହୋଇପାରିବନାହିଁ । ସେହିପରି ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହେଉଥିବା ନୈବେଦ୍ୟକୁ ମଧ୍ୟ ‘ମହାପ୍ରସାଦ’ କହିବା ଶାସ୍ତ୍ରସମ୍ମତ ନୁହେଁ ।