
ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଛି । ଯୁଦ୍ଧ ପରିସ୍ଥିତିରେ ସାଧାରଣ ନାଗରିକ କିପରି ସଚେତନ ହେବେ ଓ ସୁରକ୍ଷିତ ରହିବେ ସେ ନେଇ ସମଗ୍ର ଦେଶରେ ମକ୍ ଡ୍ରିଲ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଓଡ଼ିଶାର ୧୨ ଜିଲ୍ଲା ସମେତ ଦେଶର ମୋଟ୍ ୨୪୪ ସ୍ଥାନରେ ମକ୍ ଡ୍ରିଲ କରାଯିବ । ରାଜ୍ୟରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର ଜିଲାରେ ଏହି ମକ୍ ଡ୍ରିଲ ହେବ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯୁଦ୍ଧ ପାଇଁ କେବଳ ସେନା କିମ୍ବା କେବଳ ସରକାର ନୁହନ୍ତି, ବରଂ ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହୋଇ ରହିବା ଦରକାର । ଯୁଦ୍ଧ ସମୟରେ ଲୋକମାନେ କିପରି ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ ସରକାର ମକ ଡ୍ରିଲ ଆରମ୍ଭ କରିଛନ୍ତି । ଏହା ୭ ଦିନ ଧରି ଚାଲିବ । ଅପରାହ୍ଣ ୪ଟାରେ ମକ ଡ୍ରିଲ ଆରମ୍ଭରୁ ୫ ମିନିଟ୍ ଓ ଶେଷହେବା ପରେ ମଧ୍ୟ ସାଇରନ ବାଜିବ । ଏ ନେଇ ୧୨ ଜିଲ୍ଲାର ଜିଲାପାଳ ଓ ଅଧିକାରୀମାନଙ୍କ ସହିତ ଗୃହ ସଚିବ ସତ୍ୟବ୍ରତ ସାହୁ ଆଲୋଚନା କରିଛନ୍ତି ।