ଭୁବନେଶ୍ୱର: ପଶ୍ଚିମବଙ୍ଗ ଦୀଘାଠାରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ‘ଧାମ’ ନାମକରଣକୁ ନେଇ ଗତ କିଛିଦିନ ହେବ ବିବାଦ ଦେଖା ଦେଇଛି । ସେଠାରେ ଲେଖାଯାଇଥିବା ଜଗନ୍ନାଥ ଧାମକୁ ତୁରନ୍ତ ହଟାଇବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । ଏହା ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଲେଖାକୁ ହଟାଉନାହାନ୍ତି । ଓଡ଼ିଶାର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଦୀଘା ଜଗନ୍ନାଥ ଧାମ ନାମକରଣକୁ ହଟାଇବା ପାଇଁ ମଙ୍ଗଳବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠିଲେଖି ଅନୁରୋଧ କରିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଚାରିଧାମ ମଧ୍ୟରୁ ଓଡ଼ିଶାର ଶ୍ରୀଜଗନ୍ନାଥ ଧାମ ପୁରୀ ଅନ୍ୟତମ । ଏହା କେଉଁ ଆବହମାନ କାଳରୁ ରହି ଆସିଛି । ଦୀଘାକୁ ଜଗନ୍ନାଥ ଧାମ କହିବା ଦ୍ୱାରା ଭକ୍ତମାନଙ୍କର ଭାବାବେଗ ପ୍ରତି ଆଘାତ ସୃଷ୍ଟି ହୋଇଛି । ଏହି ନାମକୁ ପ୍ରତ୍ୟାହାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସକାଶେ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।