
ଭୁବନେଶ୍ୱର: ଅଭିନଚନ୍ଦ୍ର ଭଞ୍ଜ ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ହୋମିଓପ୍ୟାଥିକ ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ । ଏଥିସହିତ ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରଠାରେ ତିନୋଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ବୁଧବାର ହୋମିଓପ୍ୟାଥିକ କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ହୋମିଓପ୍ୟାଥିକ ଶିକ୍ଷାର ପ୍ରସାର ଓ ହୋମିଓପ୍ୟାଥିକ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ । ଦୀର୍ଘ ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର କରି ଚାଲିଛି ଏବଂ ଅନେକ ସ୍ୱନାମଧନ୍ୟ ଡାକ୍ତର ସୃଷ୍ଟି କରିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ କରି ଚାଲିଛନ୍ତି । ଅନୁସନ୍ଧାନରୁ ଜଣାଯାଇଛି ଯେ, ସାରା ଭାରତର ଆୟୁଷ ଅର୍ଥନୀତିର ପ୍ରାୟ ୧୫ ପ୍ରତିଶତ ହୋମିଓପାଥିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପରିଚାଳିତ । ରାଜ୍ୟରେ ବର୍ତ୍ତମାନ ଏହି ମହାବିଦ୍ୟାଳୟକୁ ମିଶାଇ ୪ଟି ସରକାରୀ ହୋମିଓପାଥିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଛି । ଏହା ସହିତ ୫୬୨ଟି ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ମଧ୍ୟ ଅଛି । ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ୨୩ ହଜାର ୬୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ଲୋକ ଦେଶର ୨୯ ହଜାର ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇ ପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।