ନୂଆଦିଲ୍ଲୀ: ନାଜିବାଦ ବିରୁଦ୍ଧରେ ରୁଷ୍ ବିଜୟର ଅଶୀତମ ବାର୍ଷିକ ଉତ୍ସବ ପାଳନ ଆରମ୍ଭ ହୋଇଛି । ଏଥିପାଇଁ ମଇଁ ୯ ତାରିଖରେ ମସ୍କୋରେ ବିଶାଳ ଆୟୋଜନ ଚାଲିଛି । ଏହି ଆୟୋଜନରେ ଜଣେ ମହାନ ଓଡ଼ିଆଙ୍କ ଅବଦାନକୁ କୃତଜ୍ଞତାର ସହ ରୁଷ୍ ମନେ ପକାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୁବାବୁଙ୍କ ସାହସ, ଶୌର୍ଯ୍ୟ ଓ ପରାକ୍ରମର ଗାଥା ଆଜି ନୂଆଦିଲ୍ଲୀର ରୁଷ ଦୂତାବାସ, ରୁଷିଆ ହାଉସର ବର୍ଣ୍ଣାଢ୍ୟ ପରିବେଶରେ ଗୁଞ୍ଜରିତ ହୋଇଥିଲା । ଷ୍ଟାଲିନ୍ ଗ୍ରାଡ ଅଭିଯାନରେ ବିଜୁବାବୁଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ରୁଷିଆ ହାଉସରେ ବୁଧବାର ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରୁଷ୍ ରାଷ୍ଟ୍ରଦୂତ ଡେନିସ ଅଲିପୋବଙ୍କ ଉପସ୍ଥିତିରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ । ଏହି ଅବସରରେ ନବୀନ କହିଥିଲେ, ବିଜୁବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜଣେ ପାଇଲଟ ଭାବେ ବିଜୁବାବୁ ଯେଭଳି ଅତୁଳନୀୟ ସାହସ ପ୍ରଦର୍ଶନ କରି ଷ୍ଟାଲିନ ଗ୍ରାଡରେ ଅବରୁଦ୍ଧ ରୁଷ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ନାଜୀ ବିରୁଦ୍ଧରେ ରୁଷର ବିଜୟକୁ ସୁଗମ କରି ବିଶ୍ୱକୁ ବିପର୍ଯ୍ୟୟରୁ ବଞ୍ଚାଇଥିଲେ ତାହା ଅନନ୍ୟ ।