ଭୁବନେଶ୍ୱର: ମଙ୍ଗଳବାରଠାରୁ ଛତିଶଗଡ଼ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ କାରେଗଟ୍ଟା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ୨୬ ଜଣ ମାଓବାଦୀ ନିହତ ହୋଇଛନ୍ତି । ଆଜିକୁ ପ୍ରାୟ ୧୬ ଦିନ ହେବ ଯବାନମାନେ ଏହି ଜଙ୍ଗଲରେ ସେମାନଙ୍କର ମାଓ-ହଣ୍ଟିଂ ଅପରେସନ ଜାରି ରଖିଛନ୍ତି । ବୁଧବାର ଦିନସାରା ଗୁଳି ବିନିମୟ ଚାଲିଛି । ଯବାନମାନେ ଡ୍ରୋନ୍ ସାହାଯ୍ୟରେ ମାଓବାଦୀଙ୍କୁ ଖୋଜିଖୋଜି ମାରୁଥିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି । ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୨ ତାରିଖରୁ ଏହି ଅପରେସନ ଆରମ୍ଭ କରାଯାଇଥିଲା । ଏଥିରେ ୧୦ ହଜାର ଯବାନ ସାମିଲ ହୋଇଛନ୍ତି । ଯବାନମାନେ ମାଓ ଦମନରେ ନିର୍ଣ୍ଣାୟକ ଲଢ଼େଇ ଜାରି ରଖିଥିବା ବେଳେ ମାଓବାଦୀଙ୍କ କ୍ୟାଡର ଲିଡରମାନେ କେଉଁଠି ଲୁଚି ରହିଛନ୍ତି ତାହାକୁ ତନ୍ନତନ୍ନ କରି ଯାଞ୍ଚ୍ କରାଯାଉଛି । ସୂଚନାଯୋଗ୍ୟ, କାରଗେଟା ଜଙ୍ଗଲ ହେଉଛି ମାଓବାଦୀଙ୍କ ମୁଖ୍ୟ ଆଡ୍ଡା । ଜଙ୍ଗଲର ପାଦପାଦକେ ଲ୍ୟାଣ୍ଡମାଇନ୍ ଖଞ୍ଜା ଯାଇଥାଏ । ଇତିମଧ୍ୟରେ ଯବାନମାନେ ୨୫୦ରୁ ଅଧିକ ଲ୍ୟାଣ୍ଡମାଇନ୍ ଉଦ୍ଦାର କରି ନିଷ୍କ୍ରିୟ କରିସାରିଛନ୍ତି । ଅପରେସନରେ ସିଆରପିଏଫ, ଏସଟିଏଫ, ଡିଆରଜି, ବସ୍ତର ଫାଇଟର୍ସ ଆଦି ବାଟାଲିଅନର ଯବାନମାନେ ସାମିଲ ହୋଇଛନ୍ତି ।