ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ସମ୍ପର୍କରେ ଚୀନ ଦେଇଥିବା ମତକୁ ଭାରତ ଖଣ୍ଡନ କରିଛି । ଏହା ଭ୍ରମାନ୍ତକ, ଚୀନ କର୍ତ୍ତୃପକ୍ଷ ସତ୍ୟ କ’ଣ ଜାଣି ଏହାକୁ ସଂଶୋଧନ କରିନେବା ଉଚିତ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଭାରତ ପାକ ଅଧିକୃତ କାଶ୍ମୀରରେ ବୁଧବାର ବିଳମ୍ବିତ ରାତିରେ ଏୟାର ଷ୍ଟ୍ରାଇକ୍ କରିବା ପରେ ଚୀନ୍ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଗ୍ଲୋବାଲ ଟାଇମ୍ସ’ରେ ଲେଖାଯାଇଥିଲା ଯେ, ପାକିସ୍ତାନ ଏୟାର ଫୋର୍ସ ଭାରତର ଏକ ଫାଇଟର ଜେଟକୁ ଗୁଳି କରି ଖସାଇ ଦେଇଛି । ମାତ୍ର ଏହାକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଚୀନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଆମେ ଚାହୁଁଛୁ ଚୀନ ପ୍ରଥମେ ଫ୍ୟାକ୍ଟକୁ ଭେରିଫାଏ କରୁ । ଭୁଲ ତଥ୍ୟର ପ୍ରଚାର ନକରି ପ୍ରଥମେ ସତ୍ୟର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁ ଓ ପରେ ତାହାକୁ ସର୍ବସାଧାରଣରେ ପ୍ରକାଶ କରୁ । ଭାରତ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନକୁ ସମର୍ଥନ କରୁଥିବା କେତେକ ଗଣମାଧ୍ୟମ ‘ଅପରେସନ ସିନ୍ଦୂର’ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି ।