
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଅପରେସନ ସିନ୍ଦୂର’କୁ ସଫଳ କରିଥିବା ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଯବାନମାନେ ଭଗବାନ ହନୁମାନଙ୍କ ଆଦର୍ଶକୁ ଅନୁସରଣ କରିଛନ୍ତି ଏବଂ ପହଲଗାମରେ ଯେଉଁମାନେ ସରଳ ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି କେବଳ ସେହିମାନଙ୍କୁ ହତ୍ୟା କରିଛନ୍ତି । ‘ଅପରେସନ ସିନ୍ଦୂର’ ଜରିଆରେ ଭାରତ ପାକିସ୍ତାନ ମାଟିକୁ ନ ଯାଇ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି । ଆଉ ଏପରି ଆକ୍ରମଣ କରିବା ପାଇଁ ଭାରତର ପୂର୍ଣ୍ଣ ଅଧିକାର ରହିଛି । ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ପ୍ରଥମଥର ଭାରତ ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମର ପ୍ରତିରକ୍ଷା ବଳ ଆତଙ୍କବାଦୀ ତାଲିମ ଶିବିରଗୁଡ଼ିକୁ ଧ୍ୱଂସ କରିଦେଇ ପାକ୍ ପ୍ରୋତ୍ସାହିତ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇଛି ବୋଲି ରାଜନାଥ କହିଛନ୍ତି ।