
ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଗଲା । ଭାଜପା ନେତାମାନେ ପରିବର୍ତ୍ତନକୁ ନେଇ ଉତ୍ସାହିତ ଥିଲେ । ତେବେ ନେତାମାନଙ୍କର ଏହି ଉତ୍ସାହ ଏବେ ନିରାଶାରେ ପରିଣତ ହୋଇଛି । ଦୀର୍ଘଦିନ ଧରି ଦଳ ପାଇଁ କାମ କରିଆସୁଥିବା ନେତାମାନେ ନିଗମ କିମ୍ବା ବୋର୍ଡରେ ଥଇଥାନ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି । ଭାଜପା ସରକାରକୁ ଆସିବା ପରେ ରାଜ୍ୟର ସମସ୍ତ ନିଗମ ଓ ବୋର୍ଡକୁ ଭାଙ୍ଗିଦେଇଛି । ମାତ୍ର ଏହାର ପୁନର୍ଗଠନ ହୋଇପାରୁନାହିଁ କି ନେତା ଥଇଥାନ ହୋଇପାରୁ ନାହାନ୍ତି । ଗତ ୫ ମାସ ହେଲା ରାଜ୍ୟ ଭାଜପାରେ ଏଭଳି ଭେଳିକି ଚାଲିଛି । ଭାଜପାର ନୂଆ ସଭାପତି ହେବା ପରେ ନିଗମ ଓ ବୋର୍ଡଗୁଡ଼ିକରେ ନିଯୁକ୍ତି ହେବ ବୋଲି ଦଳର ବିଧାୟକ ଓ ମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ମାତ୍ର ପଦ୍ମ ଘୁଞ୍ôଚଘୁଞ୍ôଚ ଯାଉଛି । ଏହି ମାସ ଶେଷବେଳକୁ ଘୋଷଣା ହେଇଯିବ, ଜେ.ପି. ନଡ୍ଡା ଆସୁଛନ୍ତି, ନୂଆ ସଭାପତି ନାଁ ଘୋଷଣା କରିବେ । ନଡ୍ଡା ଗଲା ପରେ ଅମିତ ଶାହା ଆସି ଘୋଷଣା କରିବେ । ଆସନ୍ତା ସପ୍ତାହ ଭିତରେ ସଭାପତି ଚୟନ କାମ ସରିଯିବ । ଏମିତି ବିବୃତି ଶୁଣିଶୁଣି ଭାଜପାର ତଳସ୍ତର ନେତା ଓ କର୍ମୀମାନେ ବିବ୍ରତ ହୋଇ ପଡ଼ିଲେଣି । ଆଗଧାଡ଼ିର ନେତାଙ୍କର ଧୈର୍ଯ୍ୟଚ୍ୟୁତି ହେଲାଣି । ରାଜ୍ୟର ନୂଆ ସଭାପତି ନିଯୁକ୍ତି ହେଉଛନ୍ତି ନା ନିଗମ ଓ ବୋର୍ଡରେ କାହାକୁ ଥଇଥାନ କରାଯାଉଛି । ଚାତକ ପରି ଚାହିଁ ବସିଥିବା ଭାଜପା ନେତାମାନେ ନିରାଶ ହେଲେଣି ।
ଇଂରାଜୀ ନବବର୍ଷ ଯାଇ ଓଡ଼ିଆ ନବବର୍ଷ ଗଲାଣି । ରାଜ୍ୟରେ ଭାଜପା ସଭାପତି ଚୟନ ହୋଇପାରୁନି । ନିର୍ବାଚନ ପୂର୍ବରୁ ମନମୋହନ ସାମଲ ସଭାପତି ଥିଲେ । କାର୍ଯ୍ୟକାଳ ସରିବା ପରେ ବି ସେ ସେହି ଆସନରେ ବସିଛନ୍ତି । ତାଙ୍କ କାର୍ଯ୍ୟକାଳ ୫ମାସ ହେବ ଶେଷ ହୋଇଗଲାଣି । କାହିଁକି ଭାଜପାର ନୂଆ ମୁଖିଆ ନିଯୁକ୍ତି ହୋଇପାରୁ ନାହାନ୍ତି ତାହାର ଉତ୍ତର ରାଜ୍ୟ କିମ୍ବା କେନ୍ଦ୍ର ନେତାଙ୍କ ପାଖରେ ନାହିଁ । ସେମାନେ କେବଳ ଗୋଟିଏ କଥାକୁ ଦୋହରାଉଛନ୍ତି, ଖୁବ୍ ଶୀଘ୍ର ହେଇଯିବ । ସରକାର ଓ ସଂଗଠନ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଉଭୟଙ୍କ ସମନ୍ୱୟରେ ରାଜ୍ୟରେ ସରକାର ଚାଲିବ । ମାତ୍ର ତାହା ଦେଖିବାକୁ ମିଳୁନାହିଁ । ଦୀର୍ଘବର୍ଷ ବ୍ୟବଧାନ ପରେ ଭାଜପା ରାଜ୍ୟରେ ସରକାର ଗଢ଼ିଲା । ଦଳର ନେତା ଓ କର୍ମୀଙ୍କର ଜୋସ ମଧ୍ୟ ବଢ଼ିଲା । ଦଳ କ୍ଷମତାକୁ ଆସିଥିବାରୁ ଦୀର୍ଘବର୍ଷ ଧରି କାମ କରିଥିବା ନେତାମାନେ ପୁରସ୍କାର ପାଇବେ ବୋଲି ଆଶା ବାନ୍ଧି ବସିଥିଲେ । ହେଲେ ଏଯାଏ ଫଳ ଶୂନ । ଦଳର ମୁଖିଆ ନାଆଁରେ ମୋହର ବାଜିପାରୁ ନାହିଁ । ଗତ ଡିସେମ୍ବର ମାସରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ଭାଜପା ରାଜ୍ୟ ପ୍ରଭାରୀଠାରୁ ଆରମ୍ଭ କରି ଆଗଧାଡ଼ିର ନେତାମାନେ କହିଲେ । ଦିଲ୍ଲୀ ନିର୍ବାଚନ ଆସିବାରୁ ସଭାପତି ନିଯୁକ୍ତି ଘୁଞ୍ôଚଗଲା ବୋଲି କୁହାଗଲା । ଜାନୁଆରୀ ମାସରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା ଆୟୋଜନରେ ସରକାର ମାତିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଦଳୀୟ ନେତା ବ୍ୟସ୍ତ ରହିଲେ । ଏଥିପାଇଁ ସଭାପତିଙ୍କ ନାଁ ଘୋଷଣା ବିଳମ୍ବ ହେଉଛି ବୋଲି ପୁଣି କୁହାଗଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ବଲପୁର ଗସ୍ତ ସମୟରେ ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ଚର୍ଚ୍ଚା ଆରମ୍ଭ ହେଲା । ଅମିତ ଶାହା ଫେରିଗଲେ । ସଭାପତିଙ୍କ ନାଁ ଘୋଷଣା ହେଇ ପାରିଲା ନାହିଁ । ଏପ୍ରିଲ ୧୦ରେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କଟକ ବାଲିଯାତ୍ରା ପଡ଼ିଆରେ କଲେ । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଯୋଗଦେଲେ । ଏହି ସମୟରେ ନୂଆ ସଭାପତି ଘୋଷଣା ହେବ ବୋଲି ଜୋରଦାର ପ୍ରଚାର ହେଲା । ଦିଲ୍ଲୀରୁ ନେଇ ଭୁବନେଶ୍ୱର, ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଭିତରେ ଅନେକ ଥର ରୁଦ୍ଧଦ୍ୱାର ବୈଠକ ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳର କୋର କମିଟି ସଦସ୍ୟଙ୍କ ସହ ଦିଲ୍ଲୀରେ ମଧ୍ୟ ଆଲୋଚନା ହୋଇଛି । ଖୁବଶୀଘ୍ର ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର କହି ଆସୁଛନ୍ତି । ଏହାସତ୍ତ୍ୱେ ଏଯାଏ ନୂଆ ସଭାପତି ନିଯୁକ୍ତି ନେଇ ଚିତ୍ର ଅସ୍ପଷ୍ଟ ରହିଛି । ସବୁଠୁ କୌତୂହଳର ବିଷୟ ଯେ, ବିଜେଡିରୁ ଭାଜପାକୁ ଡେଇଁଥିବା ରାଜ୍ୟସଭା ଏମପିମାନଙ୍କୁ ପୁଣିଥରେ ତରବରିଆ ନିର୍ବାଚିତ କରି ତୁରନ୍ତ ରାଜ୍ୟସଭାକୁ ପଠାଇଦିଆଗଲା । ହେଲେ ଦଳକୁ ଝାଳ ବୁହାଇ ଜିତାଇଥିବା ବରିଷ୍ଠ ନେତା ଓ ସଂଗଠକମାନଙ୍କୁ ଅଣଦେଖା କରାଯାଉଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଆଉ ପ୍ରାୟ ୨ ମାସ ପରେ ନୂଆ ସରକାରକୁ ବର୍ଷେ ପୁରିବ । ବର୍ଷକ ଭିତରେ କ’ଣ କ’ଣ କରାଯାଇଛି ତାକୁ ନେଇ ମେଗା ଶୋ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ତେବେ ନିଗମ ଓ ବୋର୍ଡଗୁଡ଼ିକରେ କେହି ଜଣେ ଥଇଥାନ ଏ ପର୍ଯ୍ୟନ୍ତ ହେଲେ ନାହିଁ । ଆଶାୟୀଙ୍କ ମନ ମରିଗଲାଣି । ସରକାର ଗଠନ କରିବା ପରେ ଦୁର୍ବଳ ଥିବା ଭାଜପା ସଂଗଠନକୁ ଶକ୍ତିଶାଳୀ କରାଯିବ ବୋଲି ଆଶା କରାଯାଉଥିଲା । ନୂଆ ସଭାପତି ହେଲା ପରେ ସଂଗଠନଗୁଡ଼ିକ ଚଳଚଞ୍ଚଳ ହେବ । ସହରରୁ ଗାଁଯାଏ କର୍ମୀ ଦଉଡ଼ି ସଂଗଠନକୁ ମଜଭୂତ କରିବେ । ହେଲେ ରାଜ୍ୟ ସଭାପତିଙ୍କ କାର୍ଯ୍ୟକାଳ ୫ ମାସ ତଳୁ ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନୂଆ ସଭାପତି କେବେ ନିଯୁକ୍ତ ହେବେ ସେ ଖବର କାହା ପାଖରେ ନାହିଁ । କର୍ମୀମାନେ ପଚାରିଲେ ଆଗଧାଡ଼ିର ନେତା ପରସ୍ପର ମୁହଁକୁ ଅନାଅନି ହେଉଛନ୍ତି । ଏଭଳି ପରିସ୍ଥିତିରେ ସଂଗଠନ, ବୋର୍ଡ ଓ ନିଗମରେ ନିଯୁକ୍ତି ପାଇବା ଆଶାରେ ଥିବା ନେତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲାଣି ।