ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମପ୍ରବାହ ଜାରି ରହିଛି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସ୍କୁଲଗୁଡ଼ିକ ସରକାରଙ୍କ ଆଇନକୁ ମାନୁନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ୍ ଗ୍ରହଣ କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଜାରି କରିଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପ୍ରଚଣ୍ଡ ଗ୍ରୀଷ୍ମ ଲହରିକୁ ଲକ୍ଷ୍ୟ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ୨୨ ଏପ୍ରିଲଠାରୁ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ତେବେ କେତେକ ଶିକ୍ଷାନୁଷ୍ଠାନ ଏହି ନିର୍ଦ୍ଦେଶକୁ ଅଣଦେଖା କରି ସ୍କୁଲ ଖୋଲା ରଖିଥିବା ନଜରକୁ ଆସିଛି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିପଦରେ ରହିଛି । ଏଭଳି ପରିପ୍ରେକ୍ଷୀରେ ନିଜ ନିଜ ଅଞ୍ଚଳର ସ୍କୁଲଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଡିଇଓମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।