ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବାର ଦିନକ ପରେ ବି ଭାରତ ଚୁପ ହେଇ ବସିନାହିଁ । ଲାହୋର, କରାଚୀ ଓ ଅନ୍ୟ କେତେକ ସ୍ଥାନରେ ସିରିଜ ଡ୍ରୋନ ଆଟାକ୍ ଜାରି ରଖିଛି ବୋଲି ପାକିସ୍ତାନୀ ସେନା ପକ୍ଷରୁ ଘୋଷଣା କରାଯାଇଛି । କରାଚୀ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି । ସେହିଭଳି, ପରିଚାଳନଗତ ତ୍ରୁଟି କାରଣରୁ ଇସଲାମାବାଦ ଓ ଲାହୋର ବିମାନବନ୍ଦରଗୁଡ଼ିକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା ବୋଲି ପାକିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଭାରତର ରାତି ଅଧିଆ ‘ଅପରେସନ ସିନ୍ଦୂର’ ପରେ ଜମ୍ମୁ କାଶ୍ମୀର ସ୍ଥିତ ଲାଇନ ଅଫ୍ କଣ୍ଟ୍ରୋଲ ସଂଲଗ୍ନ ଛାମୁଆ ଗ୍ରାମଗୁଡ଼ିକ ଉପରେ ପାକିସ୍ତାନ ସେନା ପକ୍ଷରୁ ଭାରି ଅସ୍ତ୍ରଶସ୍ତ୍ର ଓ ମୋର୍ଟାର ମାଡ଼ କରାଯାଇଥିଲା, ଯେଉଁଥିରେ ଜଣେ ଯବାନଙ୍କ ସମେତ ୧୨ ଜଣ ସାଧାରଣ ଲୋକ ନିହତ ହୋଇଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ୍ ଶରିଫ୍ କହିଛନ୍ତି ଯେ, ଭାରତ ପାକିସ୍ତାନ ଉପରେ ଯେଉଁ ଯୁଦ୍ଧ ଲଦି ଦେଇଛି ଆମର ସେମାନଙ୍କୁ ପ୍ରତିଜବାବ ଦେବାର ସମସ୍ତ ଅଧିକାର ରହିଛି । ଶତ୍ରୁ ସହିତ କିପରି ବ୍ୟବହାର କରିବାକୁ ହୁଏ ପାକିସ୍ତାନ ସେନା ସେକଥା ଭଲଭାବରେ ଜାଣିଛି । ଅପରପକ୍ଷରେ, ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଯେ, ଯଦି ଭାରତ ପରିସ୍ଥିତିକୁ ଶାନ୍ତ କରିବ ତା’ହେଲେ ଆମେ ସେମାନଙ୍କ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ ।