ବେଜିଂ: ଭାରତ ବିରୋଧରେ ପାକିସ୍ତାନ ଚୀନର ଲଢୁଆ ଜେଟ୍ ବ୍ୟବହାର କରୁଛି ବୋଲି ପାକିସ୍ତାନ ଦାବି କରୁଥିବା ବେଳେ ବେଜିଂ ପକ୍ଷରୁ ଗୁରୁବାର ଏହାକୁ ଖଣ୍ଡନ କରାଯାଇଛି । ଫଳରେ ପାକିସ୍ତାନ ସମଗ୍ର ବିଶ୍ୱରେ ଲଜ୍ଜାଜନକ ଭାବରେ ମିଛୁଆ ସାବ୍ୟସ୍ତ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ତଥା ପାକ୍ ଅଧିକୃତ କାଶ୍ମୀରର ଆତଙ୍କବାଦୀ ଶିବିର ଉପରେ ମିଜାଇଲ୍ ମାଡ଼ କରିଥିଲା । ଏହାର ଜବାବରେ ପାକିସ୍ତାନ ପକ୍ଷରୁ ମଧ୍ୟ ଭାରତ ବିରୋଧରେ ସାମରିକ ଆକ୍ରମଣ କରିବାକୁ ପ୍ରୟାସ ଆରମ୍ଭ କରାଯାଇଛି । ଏହି ଅବସରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ୍ ଦର ପାକ୍ ସଂସଦକୁ ସମ୍ବୋଧିତ କରି କହିଥିଲେ ଯେ, ପାକିସ୍ତାନ ଚୀନର ଜେ-୧୦ସି ଜେଟ୍ ବିମାନ ବ୍ୟବହାର କରି ସୀମାରେ ଭାରତର ରାଫେଲ ଜେଟ୍ ସମେତ ୫ଟି ଲଢ଼ୁଆ ଜେଟକୁ ଖସାଇଦେଇଛି । ଏ ସମ୍ପର୍କରେ ଭାରତ ପକ୍ଷରୁ କୌଣସି ସ୍ୱୀକାରୋକ୍ତି ଦିଆଯାଇ ନଥିବା ବେଳେ ଚୀନ୍ କିନ୍ତୁ ପାକିସ୍ତାନ ମୁହଁରେ ଚୁନକାଳି ବୋଳି ଦେଇଛି । ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲିନ୍ ଜିଆନ୍ ପାକିସ୍ତାନର ଏପରି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ଏ ବିଷୟରେ ଆମେ କିଛି ଜାଣିନାହୁଁ କି ଆମ ପାଖରେ ଏହାର କୌଣସି ଖବର ନାହିଁ । ସୂଚନାଯୋଗ୍ୟ, ଚୀନ୍ ହେଉଛି ପାକିସ୍ତାନର ସବୁଠୁ ବଡ଼ ସମର୍ଥକ ଆଉ ପାକିସ୍ତାନକୁ ସବୁଠୁ ବେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବା ରାଷ୍ଟ୍ର । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ତଥ୍ୟ ଅନୁଯାୟୀ, ୨୦୧୯-୨୦୨୩ରେ ପାକିସ୍ତାନ ୮୨ ପ୍ରତିଶତ ଅସ୍ତ୍ରଶସ୍ତ୍ର କେବଳ ଚୀନରୁ ଖରିଦ କରିଥିଲା ।