ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ଅଭିଯାନ ପରେ ପାକିସ୍ତାନ ଚୁପ ହୋଇ ବସିନାହିଁ । ଭାରତର ପ୍ରମୁଖ ସାମରିକ ସହର ଉପରେ ଏହା ଆକ୍ରମଣ କରିବାକୁ ପ୍ରୟାସ କରିଛି । ତେବେ ପାକିସ୍ତାନର ପ୍ରୟାସକୁ ସଫଳତାର ସହ ପଣ୍ଡ କରିଦିଆଯାଇଛି ବୋଲି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ପାକିସ୍ତାନ ୭-୮ ତାରିଖ ରାତିରେ ଭାରତର ଉତ୍ତର ଏବଂ ପଶ୍ଚିମାଞ୍ଚଳର କେତେକ ମୁଖ୍ୟ ସାମରିକ ସହର ଉପରେ ଡ୍ରୋନ ଓ ମିଜାଇଲ୍ ଆକ୍ରମଣ କରିବାକୁ ପ୍ରୟାସ କରିଥିଲା । ଅୱନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଦର, ଲୁଧିଆନା, ଆଦାମପୁର, ଭାଟିଣ୍ଡା, ଚଣ୍ଡୀଗଡ଼, ନାଲ, ଫରୋଦି, ଉତ୍ତରଲାଇ ଏବଂ ଭୁଜ୍ ଆଦି ସହର ପାକିସ୍ତାନର ଡ୍ରୋନ୍ ଏବଂ ମିଜାଇଲ ଟାର୍ଗେଟରେ ଥିଲେ । ମାତ୍ର ତାହାକୁ ଭାରତର ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରୀଡ୍ ଏବଂ ଏୟାର ଡିଫେନ୍ସ ଭଣ୍ଡୁର କରିଦେଇଥିଲା । ସେତିକିନୁହେଁ, ଆକ୍ରମଣ ନିମନ୍ତେ ବ୍ୟବହୃତ ଡ୍ରୋନ୍ ଓ ମିଜାଇଲର ଧ୍ୱଂସାବଶେଷ ସବୁକୁ ମଧ୍ୟ ସଂଗ୍ରହ କରାଯାଇଛି । ଦରକାର ପଡ଼ିଲେ ସେସବୁକୁ ପାକିସ୍ତାନ ବିରୋଧରେ ପ୍ରମାଣ ଭାବରେ ବ୍ୟବହାର କରାଯିବ । ଏଥିସହିତ, ଭାରତୀୟ ଯବାନମାନେ ପାକିସ୍ତାନର ଲାହୋରଠାରେ ଥିବା ଏୟାର ରାଡାର ଏବଂ ସିଷ୍ଟମକୁ ମଧ୍ୟ ନିଷ୍କ୍ରିୟ କରିଦେଇଛନ୍ତି ।