ଇସଲାମାବାଦ: ଦୁଇଦେଶ ମଧ୍ୟରେ ଜାରି ରହିଥିବା ବିବାଦ ପରିପ୍ରେକ୍ଷୀରେ ପାକିସ୍ତାନ ସୁପର ଲିଗ୍-୨୦୨୫ ବାତିଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀମାନେ ଧର୍ମପଚାରି ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି । ଭାରତ ବୁଧବାର ବିଳମ୍ବିତ ରାତିରେ ‘ଅପରେସନ ସିନ୍ଦୂର’ ଅଭିଯାନରେ ପାକିସ୍ତାନ ତଥା ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ତାଲିମ ଶିବିରଗୁଡ଼ିକ ଉପରେ ଆକ୍ରମଣ କରିଛି । ଭାରତୀୟ ଯବାନମାନେ ବାହାୱଲପୁର ସ୍ଥିତ ଜୈସ-ଏ-ମହମ୍ମଦ, ମୁରିଦକେ ସ୍ଥିତ ଲସ୍କର-ଇ-ତୋଇବାର ବେସ କ୍ୟାମ୍ପଗୁଡ଼ିକୁ ବିଧ୍ୱସ୍ତ କରିଦେଇଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପାକିସ୍ତାନ କ୍ରିକେଟ ବୋଡ (ପିସିବି)ର ଅଧିକାରୀମାନେ ଅନ୍ତରୀଣ ମନ୍ତ୍ରଣାଳୟ ସହିତ ପାକିସ୍ତାନ ସୁପର ଲିଗର ଭବିଷ୍ୟତ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଥିବା ଜିଓ ନ୍ୟୁଜ୍ ତା’ର ରିପୋର୍ଟରେ ପ୍ରକାଶ କରିଛି । ସୁପର ଲିଗ୍ ହେବ କି ତାହାକୁ ବାତିଲ କରାଯିବ ଏହି ସାକ୍ଷାତ ପରେ ଜଣାଯିବ ।