ଭୁବନେଶ୍ୱର: ଭାରତ-ପାକ୍ ମଧ୍ୟରେ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗୁରୁବାର ରାତିରେ ଭାରତର ବାୟୁସେନା ଓ ନୌସେନା ପାକିସ୍ତାନ ଭିତରକୁ ପଶି ବହୁ ସ୍ଥାନରେ ଥିବା ବିଶ୍ୱ ଘୋଷିତ ଆତଙ୍କବାଦୀ ଶିବିର ତଥା ଭିତ୍ତିଭୂମିଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଛନ୍ତି । ଏଭଳି ପରିପ୍ରେକ୍ଷୀରେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ନୀତ ପରୀକ୍ଷା କେନ୍ଦ୍ର (ଆଇଟିଆର) ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ଡକା ଯାଇଥିବା ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସପି ଓ ଥାନାଧ ଯୋଗଦେଇଥିଲେ । ଦେଶର ସାମରିକ ବ୍ୟବସ୍ଥାରେ ବାଲେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ଏଠାରେ ପ୍ରତିରକ୍ଷା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ରହିଛି । ଏହା ଉପରେ ଶତ୍ରୁଦେଶର ଆଖି ପଡ଼ିବାର ସମ୍ଭାବନା ରହିଛି । ତେଣୁ ଏହି ପ୍ରତିଷ୍ଠାନ ସବୁରେ ସୁରକ୍ଷାବ୍ୟବସ୍ଥାକୁ କିଭଳି କଡ଼ାକଡ଼ି କରାଯିବ ଓ ଯଦି ସମ୍ଭାବ୍ୟ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟିହୁଏ ତା’ହେଲେ କିଭଳି ରଣନୀତି ନିଆଯିବ ତାହା ଉପରେ ଆଲୋଚନା ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ ହାଇଆଲର୍ଟ ଜାରି ହୋଇଛି । ଆଇଟିଆ, ପିଏକ୍ସଇ ନିର୍ଦ୍ଦେଶକଙ୍କୁ ସତର୍କ ରହିବାକ ପାଇଁ କୁହାଯାଇଛି । ସୂଚନାଯୋଗ୍ୟ, ଚାନ୍ଦିପୁର ଆଇଟିଆର ବ୍ୟତୀତ, ହୀରାକୁଦ ଡ୍ୟାମ, ସୁନାବେନାର ହାଲ, ରାଉରକେଲା ଷ୍ଟିଲପ୍ଲାଣ୍ଟ, କଟକର ଚାରବାଟିଆ, ବଲାଙ୍ଗୀର ଜିଲ୍ଲା ସଇଁତଳାର ଗୋଳାବାରୁଦ କାରଖାନା, ପୁରୀର ଶ୍ରୀଜଗନ୍ନାଥମନ୍ଦିର ପରି ଓଡ଼ିଶାରେ ବହୁ ଜାତୀୟ ତଥା ଐତିହ୍ୟ ଓ ସାଂସ୍କୃତିକ ପ୍ରତିଷ୍ଠାନ ରହିଛି । ଶତ୍ରୁମାନେ ଏଗୁଡ଼ିକୁ ଟାର୍ଗେଟ କରିପାରନ୍ତି ବୋଲି ଆଶଙ୍କା କରି ଏସବୁ ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।