
150921-A-UG106-114
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଟେରିଟୋରିଆଲ ଆର୍ମିକୁ ସେନାରେ ସାମିଲ କରିବାକୁ ସବୁଜ ସଂକେତ ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥଳସେନା ମୁଖ୍ୟଙ୍କୁ ଗ୍ରୀନ ସିଗନାଲ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସେନାର ସାମର୍ଥ୍ୟକୁ ବଢ଼ାଇବା ଲାଗି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଦେଶରେ ମୋଟ୍ ୩୨ଟି ଟେରିଟୋରିଆଲ ଆର୍ମି ବାଟାଲିଅନ ରହିଛି । ସେଥିମଧ୍ୟରୁ ୧୪ ବାଟାଲିଅନ୍କୁ ମୁଖ୍ୟ ସେନାରେ ସାମିଲ କରି ପ୍ରମୁଖ ସାମରିକ ସ୍ଥଳଗୁଡ଼ିକରେ ନିୟୋଜିତ କରାଯିବ । ଦୁଇଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଛି । ଏବେ ଭାରତ କେବଳ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରୁଥିବା ବେଳେ ଆଗାମୀ ଦିନରେ ଏହାର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହେବାର ସମ୍ଭାବନା ରହିଛି । ସେଭଳି ପରିସ୍ଥିତିରେ ଟେରିଟୋରିଆଲ ଆର୍ମି ମୁଖ୍ୟସେନାକୁ ସହଯୋଗ କରିବେ । ସୂଚନାଯୋଗ୍ୟ, ଟେରିଟୋରିଆଲ ଆର୍ମି ହେଉଛି ଏକ ସ୍ୱେଚ୍ଛାକୃତ ସାମରିକ ବାହିନୀ । ମୁଖ୍ୟ ସେନା ପରେ ଏମାନଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ସେକେଣ୍ଡ ଲାଇନ ଯବାନ ଭାବରେ ବିବେଚନା କରାଯାଏ । ଏମାନେ ମୁଖ୍ୟତଃ ସାଧାରଣ ନାଗରିକ । ଏମାନେ ସ୍ୱେଚ୍ଛାକୃତ ଭାବରେ ନିୟମିତ ବୃତ୍ତିରୁ ସମୟ ବାହାର କରି ଦେଶ ପାଇଁ ସେବା କରିଥାନ୍ତି ।