ଇସଲାମାବାଦ: ଲାହୋର, କରାଚୀ ସମେତ ଭାରତ ଗୁରୁବାର ପାକିସ୍ତାନର ବହୁସ୍ଥାନରେ ସିରିଜ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି । ବୁଧବାର ବିଳମ୍ବିତ ରାତିରେ ଭାରତ ପକ୍ଷରୁ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ସମେତ ୯ଟି ଆତଙ୍କବାଦୀ ଭିତ୍ତିଭୂମି ଉପରେ ମିଜାଇଲ ମାଡ଼ କରିବାର ଦିନକ ପରେ ଭାରତ ପୁଣିଥରେ ଏଭଳି ପଦକ୍ଷେପ ନେଇଥବା ପାକିସ୍ତାନ ପକ୍ଷରୁ ଅଭିଯୋଗ କରାଯାଇଛି । ପାକ୍ ମିଲିଟାରି ମୁଖପାତ୍ର ଅହମ୍ମଦ ଶରିଫ୍ ଚୌଧୁରୀ ରାୱଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟରେ କହିଛନ୍ତି ଯେ, ଭାରତ ଲାହୋର, କରାଚୀ ଭଳି ପାକିସ୍ତାନର ଦୁଇଟି ସର୍ବବୃହତ ସହର ସମେତ ଅନେକ ସ୍ଥାନରେ ଡ୍ରୋନ ମାଡ଼ କରିଛି । ସେତିକିନୁହେଁ, ଗୁରୁବାର ରାତିରେ ଭାରତ ପାକିସ୍ତାନର ବହୁ ସ୍ଥାନରେ ଡ୍ରୋନମାଡ଼ କରି ନିଜର ଆକ୍ରମଣାତ୍ମକ ମନୋଭାବର ପରିଚୟ ଦେଇଛି । ଭାରତ ଲାହୋରରେ ଥିବା ମିଲିଟାରୀ ଟାର୍ଗେଟରେ ଡ୍ରୋନ୍ ମାଡ଼ କରିବାରୁ ଏଥିରେ ୪ଜଣ ସୈନ୍ୟ ଆହତ ହୋଇଛନ୍ତି । ପାକିସ୍ତାନ ଏୟାରସ୍ପେଶରେ ଭାରତର ଡ୍ରୋନମାଡ଼ ଜାରି ରହିଛି । ଏଭଳି ନଗ୍ନ ଆକ୍ରମଣ ପାଇଁ ଭାରତକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚୌଧୁରୀ କହିଛନ୍ତି ।