ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଥିବା ବେଳେ ଭାରତ ପକ୍ଷରୁ ଶନିବାର ପାକିସ୍ତାନର କାର୍ଯ୍ୟକଳାପକୁ ଉତ୍ତେଜନା ସୃଷ୍ଟିକାରୀ ଓ ଉସୁକାଣ ପ୍ରବୃତିର ବୋଲି କୁହାଯାଇଛି । ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି । ଏଥିସହିତ ପାକିସ୍ତାନ କିଭଳି ଉତ୍ତେଜନା ସୃଷ୍ଟି କରିବା ସହିତ ଯୁଦ୍ଧ କରିବା ଲାଗି ଭାରତକୁ ଉସୁକାଉଛି ତାହାର ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି । ସେହିପରି, ଭାରତର କାର୍ଯ୍ୟକଳାପକୁ ନେଇ ପାକିସ୍ତାନ ଯେଉଁ ଅପପ୍ରଚାର କରୁଛି ତାହାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନ ଶନିବାର ମଧ୍ୟ ଭାରତକୁ ଟାର୍ଗେଟ୍ କରି ଡ୍ରୋନ୍ ମାଡ଼ କରିଛି । ୭ ତାରିଖ ଭାରତ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଭିତ୍ତିଭୂମି ଉପରେ ମିଜାଇଲ ମାଡ଼ କରିବା ପରଠାରୁ ପାକିସ୍ତାନର ଏହା ହେଉଛି ଭାରତ ଉପରେ ତୃତୀୟ ଦିନର ଡ୍ରୋନ ଆକ୍ରମଣ । ଜବାବରେ ଭାରତ ମଧ୍ୟ ପାକିସ୍ତାନ ଉପରେ ପ୍ରତିଆକ୍ରମଣ କରିଛି । ଭାରତୀୟ ସେନା ପାକିସ୍ତାନର ଟେକ୍ନିକାଲ ୟୁନିଟ୍, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ରାଡାର ସ୍ଥଳ ଏବଂ ଗୁଳାବାରୁଦ ଡିପୋ ଭଳି ପ୍ରମୁଖ ସାମରିକ ସହାୟକ କେନ୍ଦ୍ରକୁ ଟାଗେର୍ଟ କରିଛି ।