
ଭୁବନେଶ୍ୱର: ଭାରତ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଜାରି ରଖିଥିବା ବେଳେ ଏହାକୁ ନେଇ ଓଡ଼ିଶାବାସୀ ଭୟଭୀତ କିମ୍ବା ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ରାଜସ୍ୱମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବଡ଼ ଅଧିକାରୀମାନଙ୍କ ଛୁଟିକୁ ବାତିଲ କରାଯାଇଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ରାଜ୍ୟରେ ଥିବା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ହୀରାକୁଦ ଡ୍ୟାମ, ବଲାଙ୍ଗୀର ଓ କୋରାପୁଟ ଗୁଳାବାରୁଦ କାରଖାନା ତଥା ଜଗନ୍ନାଥ ଧାମ ପୁରୀ ଉପରେ ଶତ୍ରୁର ନଜର ରହିଛି । ସେଥିପାଇଁ ଏହି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି । ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଅନେକ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିବା ବେଳେ ଡ୍ରୋନ ଉଡ଼ାଇବା ଉପରେ କଟକଣା ଜାରି କରାଯାଇଛି । ରାଜସ୍ୱମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶରେ ଉତ୍ତେଜନା ଶିଖରରେ ପହଞ୍ôଚଥିବାରୁ କାଶ୍ମୀର ଓ ଅନ୍ୟସ୍ଥାନରେ ପଢୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟକୁ ଫେରି ଆସିଛନ୍ତି । ଏହି କ୍ରମରେ କାଶ୍ମୀରରେ ଥିବା ବାଲେଶ୍ୱରର ୩ ଛାତ୍ରଛାତ୍ରୀଙ୍କ ସମେତ ଉତ୍ତରାଖଣ୍ଡରେ ଥିବା ୧୫ ଛାତ୍ରଛାତ୍ରୀ ମଧ୍ୟ ରାଜ୍ୟକୁ ଫେରିଆସିଛନ୍ତି ।