
ଭୁବନେଶ୍ୱର: ଦେଶରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି । ନାଗରିକମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ରେଳମନ୍ତ୍ରଣାଳୟ ପକ୍ଷରୁ ୧୧ଟି ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ବିଶାଖାପାଟଣା-ଅମୃତସର ହୀରାଖଣ୍ଡ ଏକ୍ସପ୍ରେସ୍ ସମେତ ୯ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ହୀରାଖଣ୍ଡ ଏକ୍ସପ୍ରେସ୍ ପୂର୍ବରୁ ଅମୃତସର ଯାଏ ଯାତ୍ରା କରୁଥିବା ବେଳେ ଏବେ ଏହା କେବଳ ବିଶାଖାପାଟଣାରୁ ଦିଲ୍ଲୀ ଯାଏ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ହୀରାଖଣ୍ଡ ଏକ୍ସପ୍ରେସ୍ (୨୦୮୦୭) ସପ୍ତାହରେ ୩ ଦିନ (ମଙ୍ଗଳବାର, ଶୁକ୍ରବାର ଓ ଶନିବାର) ଚାଲିଥାଏ । ବିଶାଖାପାଟଣାଠାରୁ ଅମୃତସର ମଧ୍ୟରେ ଏହା ୪୪ଟି ଷ୍ଟେସନରେ ଅଟକିଥାଏ । ଏହା ଓଡ଼ିଶାରେ ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ, ଖୋର୍ଦ୍ଧାରୋଡ, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର ଆଦି ସ୍ଥାନରେ ହଲ୍ଟ କରିଥାଏ ।