ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି । ତେବେ ପରିସ୍ଥିତିକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ ବୈଠକ ପରେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି । ସେ କହିଛନ୍ତି, ଯୁଦ୍ଧକାଳୀନ ସ୍ଥିତିରେ ରାଜ୍ୟକୁ କିପରି ସୁରକ୍ଷିତ ରଖାଯିବ ସେନେଇ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସମସ୍ତ ତଟବର୍ତ୍ତୀ ଅଞ୍ଚଳ ଉପରେ କଡ଼ା ନଜରରେ ରଖାଯାଇଛି । ଏ ବିଷୟରେ ଆଲୋଚନା କରାଯିବା ସହିତ ଡିଫେନ୍ସ ଫୋର୍ସ, ସେଣ୍ଟ୍ରାଲ ଏଜେନ୍ସିଗୁଡ଼ିକ ସହିତ ସମସ୍ତ ଏସପିଙ୍କୁ ଗୁପ୍ତ ତଥ୍ୟ ଯୋଗାଇ ଦିଆଯାଇଛି । ଏଥିସହିତ, ବେଆଇନ ଭାବରେ କିମ୍ବା ବିନା ଲାଇସେନ୍ସରେ ଡ୍ରୋନ ଉଡ଼ିଲେ, ରେଡ଼ ଜୋନ ଘୋଷିତ ଅଞ୍ଚଳରେ ଡ୍ରୋନ ଦେଖାଗଲେ ତାକୁ ଖସାଇଦେବା ଲାଗି ପୋଲିସକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି ।