ଭୁବନେଶ୍ୱର: ସାମାଜିକ-ଶିକ୍ଷାଗତ ପଛୁଆବର୍ଗ(ଏସଇବିସି) ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ବର୍ଗର ପିଲାମାନଙ୍କୁ ନାମ ଲେଖା ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ଚଳିତ ଶିକ୍ଷା ବର୍ଷ ଅର୍ଥାତ୨୦୨୫-୨୬ରୁଏହାକୁ ରାଜ୍ୟର ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଲାଗୁ କରାଯିବ । ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାକୋତ୍ତର, ଶିକ୍ଷକ ଶିକ୍ଷା ଆଇନ ପାଠ୍ୟ କ୍ରମ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଯୁକ୍ତ ଦୁଇ ପାଠ୍ୟକ୍ରମ , ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ , ଓଢିଆ ଭାଷା ସାହିତ୍ୟ ଓ ସଂସ୍କୃତି ଅଧୀନରେ ଥିବା ପାଠ୍ୟକ୍ରମ, କ୍ରୀଡା ଓ ଯୁବ ସେବା ବିଭାଗର ବିପିଏଡ, ଏମପିଏଡ ପାଠ୍ୟକ୍ରମରେ ଲାଗୁ କରାଯିବ । ଏହି ବ୍ୟବସ୍ଥା ଲାଗୁ ହେବା ପରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଅନୁସୂଚତିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୬.୨୫, ଏସଇବିଏସିଙ୍କ ପାଇଁ୧୧.୨୫, , ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ପାଇଁ ୫ ଓ ପୂର୍ବତନ ସେନା ପରିବାର ଛାତ୍ରଛାତ୍ରୀମାନଙ୍କ ପାଇଁ ୧ ପ୍ରତିଶତ ଆସନ ସଂରକ୍ଷଣ ରହିବ । ପୂର୍ବରୁ କେବଳ ସରକାରୀ ଚାକିରି କ୍ଷେତ୍ରରେ ଏସଇବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ କରାଯାଇ ନ ଥିଲା । କ୍ୟାବିନେଟ ନିଷ୍ପତ୍ତି ପରେ ରାଜ୍ୟରେ ଏସଇବିସିଙ୍କ୍ ପାଇଁ ଉକ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଅବହେଳିତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ୱିତ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖା ଅନୁପାତ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ଆ ପ୍ରକଟ୍ଟ କରିଛନ୍ତି । ଏଥିସହ କ୍ୟାବିନେଟରେ ମୋଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।