
ଭୁବନେଶ୍ୱର: ଆସନ୍ତା ଜୁନ ୧୨ ତାରିଖରେ ଭାଜପା ସରକାରକୁ ବର୍ଷେ ପୂରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମୀତ ଶାହା , କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଦେଶରେ ଅପରେଶନ ସିନ୍ଦୁର ଚାଲିଥିବାରୁ ପ୍ରଧାମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବ କି ନାହିଁ ସେ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । ତେବେ ପ୍ରଧାନମନ୍ତ୍ରୀଙ୍କ୍ୁ ନିମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବରାବର ଯୋଗାଯୋଗ କରାଯାଉଛି । କାର୍ଯ୍ୟକ୍ରମକୁ ଆଉ ମାସେ ଥିବାରୁ ପ୍ରଧାନମନ୍ତ୍ରୀ ବର୍ଷପୂର୍ତ୍ତି ପାଳନ ଉତ୍ସବରେ ଯୋଗ ଦେଇ ପାରନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୂରେଶ ପୂଜାରୀ କହିଛନ୍ତି ।
ରାଜ୍ୟ ସରକାର ଓ ଶାସକ ଦଳ ଏହାକୁ ଧୁମଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ନେଇ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଜୋରସୋରରେ ପ୍ରସ୍ତତି ଚାଲିଛି । ଏ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଗୃହ ବିଭାଗ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ସରକାରଙ୍କ ରିପୋର୍ଟ ପ୍ରସ୍ତୁତ କରିବ । ଗତ ବର୍ଷକ ଭିତରେ କେଉଁ ଯୋଜନା ଆରମ୍ଭ ହୋଇଛି ଓ ତାହା କେତେଦୂର ଲୋକଙ୍କ ପାଖରେ ପହଞ୍ଚିଛି ସେ ନେଇ ବିଭାଗଗୁଡିକ ରିପୋର୍ଟ ପ୍ରସ୍ତୁତରେ ଲାଗିଛନ୍ତି । ଏହି କାର୍ଯ୍ୟକ୍ରମରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ସମାବେଶ ହେବ । ଜନତା ମଇଦାନ ଠାରେ ଏହି ବିଶାଳ ପୂର୍ତ୍ତି ଉତ୍ସବ ପାଳନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରୀମାନେ ମଧ୍ୟ ସେମାନଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିବେ ।