ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତରେ ଖାଲି ପଡିଥିବା ଆସନ ଗୁଡିକ ପାଇଁ ଉପ ନିର୍ବାଚନ କରିବାକୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଜୁନ ୨୩ ତାରିଖରେ ୧୧୩୧ ୱାଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ଜିଲାପରିଷଦ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇ ଥାଆନ୍ତା। ବୁଧବାର ସକାଳେ ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଗଲା। ଉପ ନିର୍ବାଚନ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା। ତେବେ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବରଦାତା ସମ୍ମିଳନୀ ପାଇଁ ଗଣମାଧ୍ୟମକୁ ଡକାଗଲା। ଖବରଦାତା ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ସନ୍ତୋଷ କୁମାର ଦାଶ ଉପ ନିର୍ବାଚନକୁ ସ୍ଥଗିତ କରାଗଲା ବୋଲି ଘୋଷଣା କଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ଶୀଘ୍ର ଆସୁଥିବାରୁ ଉପ ନିର୍ବାଚନକୁ ସ୍ଥଗିତ ରଖାଗଲା ବୋଲି ସୂଚନା ଦେଲେ। ଉପ ନିର୍ବାଚନ ଦେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଘୋଷଣା କଲେ। ତେବେ ଏଠି ବିଜ୍ଞପ୍ତି ପ୍ରକାଶ ପାଇବାର ୨୪ ଘଣ୍ଟା ନ ପୂରୁଣୁ ନିଷ୍ପତ୍ତି କାହିଁକି ପଦଳିଲା ବୋଲି ପ୍ରଶ୍ନ ଉଠିଛି। ତେବେ ଶୁଣିବାକୁ ମିଳୁଛି ଯେ ଜୁନ ୧୨ ତାରିଖରେ ଭାଜପା ସରକାରକୁ ୧ ବର୍ଷ ପୁୂରିବ। ପ୍ରଶାସନିକ ସ୍ତରରୁ ଆରମ୍ଭ କରି ଦଳ ପର୍ଯ୍ୟନ୍ତ ସମସ୍ତେ ବର୍ଷପୂର୍ତ୍ତିକୁ ବଡ ଧୁମଧାମରେ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଉପ ନିର୍ବାଚନ ପାଇଁ ସମୟ ମିଳିବ ନାହିଁ। ଉପ ନିର୍ବାଚନ ଫଳାଫଳ ଉପରେ ମୋହନ ସରକାରର ଭାଗ୍ୟ ନିର୍ଭର କରୁଛି। ଫଳାଫଳ ଯଦି ଦଳ ବିପକ୍ଷରେ ଯିବ ତେବେ ଏହା ଦଳ ପାଇଁ ଏକ ନକାରାତ୍ମକ ହେବ । ଏ ସବୁକୁ ଦୃଷ୍ଟିରେ ରଖି ଉପ ନିର୍ବାଚନ ସ୍ଥଗିତ ରଖାଯାଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।