ଭୁବନେଶ୍ୱର: କରୋନା ପୁଣି ଡରାଇବା ଆରମ୍ଭ କଲାଣି। ଦେଶର ବିଭିନ୍ନ ଭାଗରେ କରୋନା ବ୍ୟାପିବାରେ ଲାଗିଛି। ମୁମ୍ବାଇରେ ଦୁଇ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରେ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ଏହା ଏକ ଦୁର୍ବଳ ଭାରିଆଣ୍ଟ। ଏହା ବ୍ୟାପୀବାର ସମ୍ଭାବନା ବହୁତ କମ। ଏହାକୁ ନେଇ ବ୍ୟତିବ୍ୟସ୍ତ ନ ହେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଗୁରୁବାର ଗଣାମାଧ୍ୟମକୁ ସଚିବ ଏସ. ଅଶ୍ୱସ୍ତି କହିଛନ୍ତି ଯେ କରୋନାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ଗାଇଡ ଲାଇନ ଆସି ନାହିଁ। କେବଳ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି। ରାଜ୍ୟ ସରକାର ମଧ୍ୟ କୋଭିଡ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। କୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।
୨୦୨୦-୨୧ ପରଠାରୁ କରୋନା ନିୟନ୍ତ୍ରଣ ପରଠାରୁ ଦେଶରେ କାଁ ଭାଁ କରୋନା ରୋଗୀ ଦେଖିବାକୁ ମିଳୁଛନ୍ତି। କରୋନା ଦେଶରୁ ସମ୍ପୂର୍ଣ୍ଣ ହଟି ନାହିଁ। ଏହି ରୋଗର ଭୟାବହତାକୁ ନିୟନ୍ତ୍ରଣ କରାଯାଇଛି। ଭୁବନେଶ୍ୱରରେ ଚିହ୍ନଟ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ସେ ବହୁ ବିଧ ରୋଗରେ ପୀଡିତ ଅଛନ୍ତି। ତାଙ୍କୁ ଆଇସୋଲେଶନରେ ରଖାଯାଇଛି ବୋଲି ସଚିବ କହିଛନ୍ତି।