
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳା ମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ।ଗୁରୁବାର ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଆଜିର ଏହି ସମ୍ମିଳନୀ କେବଳ ଆମ ପାଇଁ ଉପଲବ୍ଧିର ଉତ୍ସବ ନୁହେଁ ବରଂ ଏହା ହେଉଛି ଆମର ମହିଳା ନେତୃତ୍ୱ ପ୍ରତି ସଂକଳ୍ପ। ମହିଳା ମାନଙ୍କ ଶକ୍ତି ଓ ଉଦ୍ୟମ ପରିବାର ଓ ଦେଶର ଭବିଷ୍ୟତକୁ ସୁଦୃଢ କରିଥାଏ। ଲକ୍ଷପତି ଦିଦି ଯୋଜନା କେବଳ ଏକ କଲ୍ୟାଣକାରୀ ଯୋଜନା ନୁହେଁ, ଏହା ହେଉଛି ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି। ପ୍ରଧାନମନ୍ତ୍ରୀ ମହିଳାଙ୍କର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ୱତନ୍ତ୍ରତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜନୀତିକ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତିନିଧିତ୍ୱ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇଛି। ଏହା ମାଧ୍ୟମରେ ଆଗାମୀ ନିର୍ବାଚନରେ ଅତି କମରେ ୩୩ ପ୍ରତିଶତ ମହିଳା ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସିବେ ବୋଲି ସେ କହିଛନ୍ତି।
ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ଆଜି ଓଡିଶା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି। ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ମହିଳା ମାନେ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରି ନିଜର ପରିଚୟ ସୃଷ୍ଟି କରିବା ସହିତ ଆତ୍ମବିଶ୍ୱାସ ବଢାଇ ପାରୁଛନ୍ତି। ମହିଳା ମାନଙ୍କୁ ଉଦ୍ୟୋଗୀ ଓ ନେତୃତ୍ୱ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ଆମେ ସମସ୍ତ ଉଦ୍ୟମ ଜାରି ରଖିଛୁ। ଆମର ଲକ୍ଷ୍ୟ ହେଉଛି ଲକ୍ଷପତି ଦିଦି କେବଳ ମହିଳା ମାନଙ୍କ ଜୀବିକା ନୁହେଁ, ଏହାକୁ ମହିଳା ମାନଙ୍କ ଗରିମା ବୃଦ୍ଧି, ସ୍ୱାବଲମ୍ବନଶୀଳତା ଓ ନେତୃତ୍ୱର ଆନ୍ଦୋଳନ ରୂପେ ପରିଣତ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।