
ଭାଜପା ସରକାର ଆସିବା ଦିନଠାରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଉଛି। ପାଞ୍ଚବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ସରକାରଙ୍କର ଲକ୍ଷ୍ୟ ରହିଛି। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ। ଏହି କ୍ରମରେ ଆଜିକୁ ମିଶାଇ ୨୭,୪୨୮ଟି ସରକାରୀ ପଦବୀ ପୂରଣ କରାଗଲା। ଏହି ସବୁ ପଦକ୍ଷେପରେ ଆମ ସରକାରଙ୍କ ବିଚାରଧାରା ପ୍ରତିଫଳିତ ହେଉଛି। ଆଗାମୀ ଦିନରେ ଆହୁରି ନିଯୁକ୍ତି ଆସିବ ସେଥିପାଇଁ ଆମର ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପ୍ରକ୍ରିଆରେ ସ୍ୱଚ୍ଛତା ପାଇଁ ବିଧାନସଭାରେ ବିଲ ପାରିତ କରି ଆମେ ଆକ୍ଟ ପ୍ରଣୟନ କରିଛୁ। ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ଚାକିରୀ ବୟସ ସୀମାକୁ ମଧ୍ୟ ଆମେ ୪୨ ବର୍ଷକୁ ବୃଦ୍ଧି କରିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
ଭୁବନେଶ୍ୱର ରେଳ ଅଡିଟୋରିମରେ ଶୁକ୍ରବାର ଅନୁଷ୍ଠିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୭ ବିଭାଗର ନବନିଯୁକ୍ତ ୧,୨୯୪ ଜଣ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାପା ମାଆଙ୍କ
ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି। ତାଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ। ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ ।
ସୂଚନାଯୋଗ୍ୟ ଯେ, ନିଯୁକ୍ତି ମେଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮୨୬ଟି ସ୍ନାତକତ୍ତୋର ଶିକ୍ଷକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ପ୍ରାଧ୍ୟାପକ, କ୍ଲିନିକାଲ ମନୋବିଜ୍ଞାନୀ, ମନସ୍ତତ୍ୱ ସାମାଜିକ କର୍ମୀ, ନର୍ସିଂ ଅଫିସର ଏବଂ ଡ୍ରଗ ଇନସପେକ୍ଟର ପଦବୀକୁ ମିଶାଇ ସମୁଦାୟ ୨୨୪ଟି ପଦବୀ, ବାଣିଜ୍ୟ ଓ ପରିବହନ ବିଭାଗରେ ମୋଟର ଯାନ କନିଷ୍ଠ ନୀରିକ୍ଷକ ଓ ଟ୍ରାଫିକ କନେଷ୍ଟବଳଙ୍କୁ ମିଶାଇ ସମୁଦାୟ ୬୩ଟି ପଦବୀ, ଦକ୍ଷତା ବିକାଶ ବିଭାଗର ୮୧ଟି ଅଧ୍ୟାପକ ପଦବୀ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ୪୯ଟି ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀ, ଅବକାରୀ ବିଭାଗର ୩୨ଟି ଅବକାରୀ ଉପନିରୀକ୍ଷକ ପଦବୀ, ଶ୍ରମ ବିଭାଗର ୧୯ଟି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଛି।