ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ବିଧାୟକଙ୍କ ଚିନ୍ତା ବଢାଇ ଦେଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି
ପାଇଁ ଲୋକପ୍ରତିନିଧି ସୁପାରିସ କରିପାରିବେ। ଜଣେ ସାଂସଦ କିମ୍ବା ବିଧାୟକଙ୍କୁ ଚଳିତ ଶିକ୍ଷା ବର୍ଷରେ ନିଜ ନିର୍ବାଚନମଣ୍ଡଳୀର ସର୍ବାଧିକ ୧୫ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ସୁପାରିସ କରିବାର କ୍ଷମତା ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଏବେ ବିଧାୟକ ଓ ସାଂସଦଙ୍କ ପାଇଁ ସାରା ରାଜ୍ୟରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକପ୍ରତିନିଧିଙ୍କ ନିକଟରେ ପ୍ରତିଦିନ ଗଦା ଗଦା ଆବେଦନପତ୍ର ଆସୁଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏତେ ପରିମାଣର ବଦଳି ଆବେଦନ ଦେଖି ବିଧାୟକମାନେ ଚିନ୍ତାରେ। କାହାର କାଟିବେ, କାହାର ରଖିବେ, କାହାର ସୁପାରିସ କରିବେ ତାହା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସ୍ଥିତି ଅଣାୟତ ହେବାରୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଚିଠି ଲେଖି କ୍ଷମତା ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ଗତକାଲି ଗଣେଶ୍ୱର ବେହେରା ଏହି ଚିଠି ଦେବା ପରେ ଚର୍ଚ୍ଚା ଜୋର୍ ଧରିଛି।
ଗଣେଶ୍ୱର ଦର୍ଶାଇଛନ୍ତି ଯେ ତାଙ୍କ ନିକଟକୁ ଗତ ୩ ତାରିଖ ସୁଦ୍ଧା ୮୧ଟି ଆବେଦନ ଆସିଲାଣି। ଶିକ୍ଷକମାନେ ନିଜ ସମ୍ପର୍କୀୟଙ୍କ ଜରିଆରେ ବଦଳି ପାଇଁ ବିଧାୟକ ତଥା ସହଯୋଗୀଙ୍କ ଉପରେ ଚାପ ପକାଉଛନ୍ତି। ତେଣୁ ବଦଳି ନ କଲେ ଭୋଟ୍ରେ ଉଚିତ ଜବାବ ଦିଆଯିବ ବୋଲି ପରୋକ୍ଷରେ ଧମକ ମଧ୍ୟ ଦେଉଛନ୍ତି। ଆବେଦନକାରୀ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କ ଅନୁରୋଧ ଯୁକ୍ତିଯୁକ୍ତ। ସେମାନଙ୍କ ମଧ୍ୟରୁ ମାତ୍ର ୧୫ଜଣଙ୍କ ବଦଳି ପାଇଁ ସୁପାରିସ କରି ଅନ୍ୟମାନଙ୍କୁ ନିରାଶ କରିବା ଆତ୍ମଘାତୀ ହେବ। ତେଣୁ ଏହି ସମସ୍ୟାଗୁଡ଼ିକୁ ଗମ୍ଭୀରତାର ସହ ବିଚାରକୁ ନେଇ ୧୫ଜଣଙ୍କୁ ବଦଳି କରିବାର କ୍ଷମତାକୁ ପ୍ରତ୍ୟାହାର କରିନେବାକୁ ସେ ଅନୁରୋଧ କରିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କର ଏହା କଦଯ୍ୟ ନିଷ୍ପତ୍ତି। ୧୫ ଶିକ୍ଷକ ବଦଳି କରି ଶତ୍ରୁ ଅର୍ଜନ କରିବା ଭଳି। ତେଣୁ ସେ ବଦଳି କୋଟା ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି । ତାଙ୍କ ପାଖରେ ଏବେ ସୁଦ୍ଧା ୫୦୦ ଆବେଦନ ପହଞ୍ଚିଲାଣି। ୧୫ ଜଣଙ୍କ ପାଇଁ କିଭଳି ୧୫୦୦ ଜଣଙ୍କ ବିରୋଧୀ ହେବୁ ବୋଲି ସେ ପ୍ରଶ୍ନ କରିଛନ୍ତି।