୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ପୁରିଯାଇଛି। ରାଜନୈତିକ ଚିତ୍ର ଏବଂ ଚରିତ୍ର ସବୁ କିଛି ପରିବର୍ତ୍ତନ ହୋଇଛି। ରାଜନୈତି ଦୃଷ୍ଟି କୋଣରୁ ବିଗତ ବର୍ଷ ଘଟଣା ବହୁଳ ରହିଛି। ଦୀର୍ଘ ୨୪ ବର୍ଷ ଧରି ଅପରାଜୟ ରାଜୁତି କରୁଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ମତଦାତା ଗାଦି ଚ୍ୟୁତ କରି ଦେଇଛନ୍ତି । ସବୁ ଆକଳନ, ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକକ ସଂଖ୍ୟା ଗରିଷ୍ଠତା ମିଳିଛି। ଲମ୍ବା ସମୟ ଧରି ବିରୋଧୀ ଆସନରେ ବସି ଆସିଥିବା ଭାଜପା ପ୍ରଥମ ଥର ପାଇଁ ରାଜ୍ୟ ଶାସନର ମଙ୍ଗ ଧରିଛି। କେବଳ ସେତିକି ନୁହେଁ, ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇ ଅନେକ ଉପମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନବାଗତଙ୍କୁ ନେଇ ରାଜ୍ୟ ଶାସନର ଡୋର ସମ୍ଭାଳିଛନ୍ତି। ବିଜେଡି ମୁଖ୍ୟ ବିରୋଧୀ ଦଳ ଆସନକୁ ଖସିଥିବା ବେଳେ କଂଗ୍ରେସ ପୂର୍ବ ପରି ତୃତୀୟ ସ୍ଥାନରେ ରହିଛି। ମୁଖ୍ୟ ବିରୋଧୀ ଦଳକୁ ଆସି ବିଜେଡି ସରକାରଙ୍କ ଦୋଷ ଦୁର୍ବଳତା କାଢିବାକୁ ଚେଷ୍ଟା କରୁଛି ସତ କିନ୍ତୁ ପରାଜୟର ଗ୍ଲାନିରୁ ଦଳ ଏବେ ବି ମୁକୁଳି ପାରି ନାହିଁ। ଅନ୍ୟ ପକ୍ଷରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ନିଜର ଅସଜଡା ଘରକୁ ସଜାଡିବାକୁ ଉଦ୍ୟମ କରୁଛି।
୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ହାତରୁ ଅପ୍ରତ୍ୟାଶିତ ଭାବେ କ୍ଷମତା ଚାଲିଗଲା। କ୍ଷମତା ଗଲା ପରେ ବର୍ଷକ ମଧ୍ୟରେ ବିଜେଡିରେ ସ୍ଥ୍ିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଯଦିଓ ନବୀନ ଆଜି ବି ବିଜେଡି ସଭାପତି ଅଛନ୍ତି, ହେଲେ ଦଳ ଓ ସଭାପତିଙ୍କ ଉପରେ ନେତାମାନଙ୍କର ଆଉ ପୂର୍ବ ଭଳି ଆସ୍ଥା ଓ ବିଶ୍ୱାସ ନାହିଁ। ବିଜେଡିର ପରାଜୟ ପାଇଁ ତତ୍କାଳୀନ କ୍ଷମତା କେନ୍ଦ୍ର ଭି.କେ. ପାଣ୍ଡିଆନଙ୍କୁ ଦାୟୀ କରାଯାଇଛି। ପାଣ୍ଡିଆନଙ୍କ ନାମ ନେବାକୁ ସାହସ ଜୁଟାଇ ପାରୁ ନ ଥିବା ପୂର୍ବତନ ମନ୍ତ୍ରୀ ଓ ନେତା ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି। ଯଦିଓ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରି ସାରିଛନ୍ତି ଏବେ ବି ବିଜେଡି ତାଙ୍କ ଇଙ୍ଗିତରେ ଚାଲୁଥିବା ଦଳୀୟ ନେତା ଓ କର୍ମୀମାନେ ଅନେକ ସମୟରେ ଅଭିଯୋଗ ଆଣୁଛନ୍ତି। ବିଜେଡି କାହିଁକି ନିର୍ବାଚନ ହାରିଲା ବର୍ଷେ ବିତିଯାଇଥିଲେ ମଧ୍ୟ ତାହାର ସମୀକ୍ଷା ସଭାପତି କଲେ ନାହିଁ। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢୁଥିବା କହି ଆସୁଥିବା ବିଜେଡି ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଆଭିମୁଖ୍ୟରୁ ଦୂରେଇ ଯାଇଛି। ଯାହାକି ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି। କୌଣସି ନା କୌଣସି କାରଣ ପାଇଁ କେନ୍ଦ୍ର ବିରୋଧରେ ବିଜେଡି କଠୋର ଆଭିମୁଖ୍ୟ ନେଇ ପାରୁନି। ୱାକଫ ବୋର୍ଡ ବିଲରେ ବିଜେଡିର ଦୋ ମୁହାଁ ଆଚରଣ ଦଳୀୟ କର୍ମୀ ଓ ନେତାଙ୍କୁ ନିରାଶ କରିଛି। ବିଜେଡିର ଏଭଳି ଆଭିମୁଖ୍ୟକୁ ଦଳର ବରିଷ୍ଠ ନେତାମାନେ ନାପସନ୍ଦ କରିବା ସହ ଏହା ଆଗାମୀ ଦିନରେ ଦଳ ପାଇଁ ଘାତକ ହେବ ବୋଲି ଚେତାବନୀ ଦେଇଛନ୍ତି।
ଅନ୍ୟ ପକ୍ଷରେ ଭାଜପା ସରକାରକୁ ମାତ୍ର ୧ ବର୍ଷ ହୋଇଥିବାରୁ ବିଜେଡିର ୨୪ ବର୍ଷ ଶାସନ ସହିତ ତୁଳନା କରିବାକୁ ରାଜନୈତିକ ବିଶ୍ଲେଷକ ଉଚିତ ମଣୁ ନାହାନ୍ତି। ତେବେ ନୂଆ ସରକାରଙ୍କ କେତୋଟି ଜନହିତକର ପଦକ୍ଷେପ ଲୋକଙ୍କୁ ଛୁଇଁ ପାରିଛି। ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ସୁଭଦ୍ରା ଯୋଜନା ବେଶ ପ୍ରଶଂସା ସାଉଁଟିଛି। କିନ୍ତୁ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ଭାଜପା ଏଯାଏ ଆଖିଦୃଶିଆ ପଦକ୍ଷେପ ନେଇ ନାହିଁ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଉଛନ୍ତି। ନିର୍ବାଚନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟାର୍ଗେଟରେ ଥିବା ଭି.କେ. ପାଣ୍ଡିଆନ ଓ ତାଙ୍କ ଅଣ ଓଡିଆ ଗୋଷ୍ଠୀ ଭାଜପା ଟାର୍ଗେଟରେ ଥିଲେ। କିନ୍ତୁ ନୂଆ ସରକାର ବର୍ଷକ ଭିତରେ ସେମାନଙ୍କ ବିରୋଧରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ପାରି ନାହାନ୍ତି। ଆଗାମୀ ଦିନରେ ନେବେ କି ନାହିଁ ତାହା ମଧ୍ୟ ଦେଖା ଯାଉ ନାହିଁ। ବିଜେଡି ସରକାର ଅମଳରେ ହୋଇଥିବା କୌଣସି ବଡ ଦୁର୍ନୀତର ଏ ଯାଏ ପର୍ଦ୍ଦା ଫାସ ହୋଇ ପାରି ନାହିଁ। ଭାଜପାର ରାଜ୍ୟ ସଭାପତି ଚୟନରେ ବିଳମ୍ବ ଏବଂ ଦଳୀୟ ନେତାମାନଙ୍କୁ ବିଭିନ୍ନ ନିଗମ ଓ ବୋର୍ଡରେ ଥଇଥାନ କରାଯାଉ ନ ଥିବାରୁ ଦଳ ଓ ସରକାରଙ୍କ ମଧ୍ୟରେ ବ୍ୟବଧାନ ବଢୁଥିବା ଲକ୍ଷ୍ୟ କରାଯାଉଛି ।
ଗତ ନିର୍ବାଚନରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଯାଇଛି। ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ବର୍ଷକ ଭିତରେ ନିଜର ଘର ସଜାଡିବାରେ ଲାଗି ପଡିଛି। ଜଣେ ଅଭିଜ୍ଞ ନେତା ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାଶ ରାଜ୍ୟ କଂଗ୍ରେସ ନୂଆ ସଭାପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ତାଙ୍କ ଟିମ ଗଢିବା ସହିତ ଦଳକୁ ପୁନର୍ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। କଂଗ୍ରେସ ଛାଡି ଚାଲି ଯାଇଥିବା ନେତାମାନଙ୍କୁ ମଧ୍ୟ ସେ ଦଳକୁ ସ୍ୱାଗତ କରିଛନ୍ତି। ଯଦିଓ ବିଜେଡି ମୁଖ୍ୟ ବିରୋଧୀ ଦଳ ଆସନରେ ରହିଛି ତେବେ କଂଗ୍ରେସ ବିଧାନସଭା ଓ ବାହାରେ ସରକାରଙ୍କୁ ଘେରିବାକୁ କୌଣସି ମୌକା ହାତ ଛଡା କରୁ ନାହିଁ। କଂଗ୍ରେସରେ ଅସନ୍ତୋଷ ରହିଥିଲେ ମଧ୍ୟ ଗତ ବର୍ଷକ ମଧ୍ୟରେ ଦଳକୁ କ୍ଷତି କରିବା ଭଳି କୌଣସି ଘଟଣା ସମ୍ନାକୁ ଆସି ନାହିଁ। ବିଜେଡିରୁ ରାଜ୍ୟବାସୀ ମୁହଁ ଫେରାଇ ନେଇଥିବାରୁ ଆସନ୍ତା ନିର୍ବାଚନକୁ କଂଗ୍ରେସ ଏକ ସୁଯୋଗ ବୋଲି ମନେ କରୁଛି। ତେବେ କଂଗ୍ରେସ ନୂଆ ମୁଖିଆକୁ ନେଇ ଆଗାମୀ ଦିନରେ କିଭଳି ପ୍ରଦର୍ଶନ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।