ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ। ଓଡିଶାରେ ଭାଜପା ସରକାରର ୧ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଜନତା ମଇଦାନ ଠାରେ ଅନୁଷ୍ଠିତ ବର୍ଷପୂର୍ତ୍ତୀ ସମାବେଶରେ ଯୋଗଦେବେ। ଏହା ପୂର୍ବରୁ ଜନତା ମଇଦାନରେ ପ୍ରସ୍ତୁତି ଜୋରସୋର ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ଜନତା ମଇଦାନ ପରିିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସଭାସ୍ଥଳ ବୁଲି ଦେଖିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେପରି କୌଣସି ତୃଟି ନ ରହିବ ସେଥିପ୍ରତି ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ବିଳମ୍ବିତ ସନ୍ଧ୍ୟାସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଛନ୍ତି।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁପ୍ରସ୍ତୁତି କାର୍ଯ୍ୟର ସବିଶେଷ ସୂଚନା ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ପ୍ରକାଶ ମିଶ୍ର, ଉନ୍ନୟନ କମିଶନର ଅନୁଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ୱାଇ ବି ଖୁରାନିଆ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।