ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜନତା ମଇଦାନ ଠାରେ ଅନୁଷ୍ଠିତ ଭାଜପା ସରକାରର ୧ ବର୍ଷପୁର୍ତି ଉପଲକ୍ଷେ ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି।
ଏଥିରେ କୃଷି ବିଭାଗର ଦୁଇଟି ପ୍ରକଳ୍ପ-୧୪୩ କୋଟି ଟଙ୍କା, ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଗୋଟିଏ ପ୍ରକଳ୍ପ-୩୨ କୋଟି ଟଙ୍କା, ଜଳ ସମ୍ପଦ ଓ ପାନୀୟ ଜଳ ପାଇଁ ୧୯ଟି ପ୍ରକଳ୍ପ-୨୫୫୩ କୋଟି ଟଙ୍କା, ଶକ୍ତି କ୍ଷେତ୍ରରେ ୨୩ଟି ପ୍ରକଳ୍ପ-୮୦୮୩ କୋଟି ଟଙ୍କା, ସଡକ ଓ ସେତୁ ପାଇଁ ୨୨ଟି ପ୍ରକଳ୍ପ-୧୬୧୬ କୋଟି ଟଙ୍କା, ସହରାଞ୍ଚଳ ଭିତ୍ତିଭୂମି ପାଇଁ ୨୫ଟି ପ୍ରକଳ୍ପ-୧୮୫୮ କୋଟି ଟଙ୍କା, ରେଳ କ୍ଷେତ୍ରରେ ୭ଟି ପ୍ରକଳ୍ପ-୨୭୫୬ କୋଟି ଟଙ୍କା, ଜାତୀୟ ରାଜପଥ ୪ଟି ପ୍ରକଳ୍ପ-୧୪୩୨ କୋଟି ଟଙ୍କା , ବନ୍ଦର କ୍ଷେତ୍ରରେ ଗୋଟିଏ ପ୍ରକଳ୍ପ-୫୬ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଗୋଟିଏ ପ୍ରକଳ୍ପ-୧୨୩ କୋଟି ଟଙ୍କା, ଏହିପରି ସମୁଦାୟ ୧୮,୬୫୩ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।ରେଳ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ୬ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ପାଇଁ ୨୭୫୬ କୋଟି ଟଙ୍କା ବିନିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ ସୋନପୁର-ପୁରୁଣା କଟକ ରେଳ ଲାଇନ୍ ଉଦଘାଟିତ ହୋଇଛି, ୭୩ କିଲୋମିଟର ଦୀର୍ଘ ଏହି ରେଳ ଲାଇନ ବହୁପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାଦ୍ୱାରା ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିଛି। ଏହା ସହିତ ସରଳା ଓ ଶାସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଅନ୍ୟାନ୍ୟ ରେଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥି ସହିତ ବସଭାରେ କିଛି ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
୧୦୦ ଇଲେକ୍ଟ୍ରିକ ବସ୍ର ଶୁଭାରମ୍ଭ କଲେ ମୋଦି
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜନତା ମଇଦାନ ଠାରେ ଅନୁଷ୍ଠିତ ଭାଜପା ବରସପୁର୍ତ୍ତି କାର୍ୟ୍ୟକ୍ରମରେ ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ ହୋଇଛି। ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ ଆମ ବସ ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍ରେ ଆମ ବସ୍ ସେବା ପ୍ରଦାନ କରାଯିବ।
ନୂତନ ଭାବେ ନିର୍ମିତ ନରାଜ୍ ଇଲେକ୍ଟ୍ରିକ୍ ବସ୍ ଡିପୋ ମଧ୍ୟ ଆଜି ଉଦଘାଟିତ ହୋଇଛି। ଏହି ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ନରାଜ ଡିପୋରୁ ହିଁ ଚଳାଚଳ କରିବ। ଏହି ନରାଜ ବସ୍ ଡିପୋ ସମ୍ପୂର୍ଣ୍ଣ ଭାବେ ଗ୍ରିନ ବିଲ୍ଡିଙ୍ଗ ଟେକ୍ନୋଲୋଜିର ନିର୍ମାଣ ହୋଇଛି।