**EDS: THIRD PARTY IMAGE** In this screengrab from a video released by the Ministry of External Affairs (MEA) on May 9, 2025, Foreign Secretary Vikram Misri speaks during a special briefing on Operation Sindoor, amid the ongoing India-Pakistan military conflict, in New Delhi. (MEA via PTI Photo) (PTI05_09_2025_000257B)
ସରକାର ବଦଳିଗଲା । ବର୍ଷେ ହେବ ରାଜ୍ୟରେ ଭାଜପା ଶାସନ ଆରମ୍ଭ ହୋଇଛି । ସରକାର ପରିବର୍ତ୍ତନ ସାଙ୍ଗକୁ ପୂର୍ବସରକାରରେ ପ୍ରଚଣ୍ଡ କ୍ଷମତା ଉପଭୋଗ କ ରୁଥିବା ବାବୁମାନଙ୍କର ମଧ୍ୟ ମୁଡ ଅଫ୍ ହୋଇଛି । ବିଜେଡି ସରକାର ସମୟରେ ଯେଉଁ ଆଇଏଏସ ଏବଂ ଆଇପିଏସ ଅଧିକାରୀମାନେ ପ୍ରଶାସନିକ ଭାର ସମ୍ଭାଳିଥିଲେ ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କେନ୍ଦ୍ରୀୟ ଡେପୁଟେଶନରେ ଚାଲି ଗଲେଣି । ଆଉ କିଛି ଅଧିକାରୀ ନୂଆ ସରକାର ସହ ଖାପ ଖୁଆଇ ପାରୁ ନ ଥିବାରୁ ଦିଲ୍ଲୀ ଯିବାକୁ ଗୋଡ କାଢିଲେଣି । ଅନ୍ୟ ପକ୍ଷରେ ଓଡିଶା ପ୍ରଶାସନିକ ସେବାର ମଧ୍ୟ ବହୁ ପଦବୀ ଖାଲି ପଡିଛି । ଆଇଏଏସ, ଆଇପିଏସ ସହିତ ରାଜ୍ୟରେ ଓଏଏସ ପଦବୀ ଖାଲି ପଡୁଥିବାରୁ ପ୍ରଶାସନିକ କାର୍ୟ୍ୟ ଚଳାଇବାରେ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି ହେଲାଣି । ପ୍ରଶାସନିକ ଅଧିକାରୀ ଦିଲ୍ଲୀମୁହାଁ ହେବା ଯୋଗୁ ରାଜ୍ୟରେ ଆଗାମୀ ଦିନରେ ପ୍ରଶାସନିକ ସଙ୍କଟ ସୃଷ୍ଟି ହେବା ଜଳ ଜଳ ହୋଇ ଦିଶିଲାଣି ।
ରାଜ୍ୟରେ ବିଜେଡି ସରକାର ଯିବା ପରେ ଭାଜପା ସରକାରକୁ ବର୍ଷେ ପୂରିଲାଣି । ଏହି ବର୍ଷକ ମଧ୍ୟରେ ୮ ଜଣ ଆଇଏଏସ ଏବଂ ଆଇପିଏସ ଅଧିକାରୀ ଦିଲ୍ଲୀ ଡେପୁଟେଶନରେ ଯାଇ ସାରିଲେଣି । ଆହୁରି କିଛି ବାବୁ ଦିଲ୍ଲୀ ଯିବା ପାଇଁ ଊଦ୍ୟମ ଚଳାଇଛନ୍ତି । ଗତ ସରକାର ସମୟରେ ଯେଉଁମାନେ ବେଶ୍ ପ୍ରଭାବଶାଳୀ ଥିଲେ ସରକାର ବଦଳିବା ପରେ ସେମାନଙ୍କ କ୍ଷମତା ସଙ୍କୁଚିତ ହୋଇଛି । ସେମାନେ ଏବେ ନୂଆ ସରକାରରେ କାମ କରିବାକୁ କୁନ୍ଥକୁନ୍ଥ ହେଉଛନ୍ତି । ସେହି ଅଧିକାରୀମାନେ ଡେପୁଟେଶନରେ ଚାଲିଯିବାକୁ ଛଟପଟ ହେଉଛନ୍ତି । ବିଜେଡି ସରକାର ସମୟରେ କ୍ଷମତା କେନ୍ଦ୍ରର ପାଖ ଲୋକ ଥିବା ଡି.ଏସ କୁଟ୍ଟେ, ଆଶିଷ କୁମାର ସିଂ, ରବିକାନ୍ତ, ମିତ୍ରଭାନୁ ମହାପାତ୍ର କେନ୍ଦ୍ରକୁ ଚାଲିଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ ଏବଂ ବୀର ବିକ୍ରମ ଯାଦବ ମଧ୍ୟ ଦିଲ୍ଲୀ ଡେୁପୁଟେଶନରେ ଯାଇଛନ୍ତି । ଦିଲ୍ଲୀ ଯିବା ପୂର୍ବରୁ ନିକୁଞ୍ଜଙ୍କ ଟୁଇଟ ସେତେବେଳ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଥିଲା । ଅତ୍ୟଧିକ କାର୍ୟ୍ୟଭାର ଯୋଗୁ ସେ ଚାପ ଗ୍ରସ୍ତ ହୋଇ ଗଲେ । ନିଜକୁ , ପରିବାରକୁ ସମୟ ଦେଇ ପାରିଲେ ନାହିଁ । ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ମେଡିକାଲରେ ଆଡମିଶନ ହେବାକୁ ପଡିଲା ବୋଲି ସେ ନିଜ ଟୁଇଟର ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଥିଲେ । ଏହାକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ନିକୁଞ୍ଜ ଯିବା ପରେ ମଧ୍ୟ କେନ୍ଦ୍ରୀୟ ଡେପୁଟେଶନରେ ପୂର୍ଣ୍ଣଛେଦ ପଡି ନାହିଁ । ନବୀନଙ୍କ ସରକାରର କ୍ଷମତାଶାଳୀ ଅଫିସର ଆର. ଭିନିଲ କ୍ରିଷ୍ଣା ଏବଂ ଆଶିଷ ଥାକରେ ମଧ୍ୟ କେନ୍ଦ୍ରୀୟ ନିଯୁକ୍ତି ପାଇଛନ୍ତି । ଆଇପିଏସ ରେଖା ଲୋହାନୀ, ସଞ୍ଜୀବ କୁମାର, ଅନୁପ କୁମାର ସାହୁ, ଏବଂ ରାକେଶ କୁମାରଙ୍କୁ ମଧ୍ୟ କେନ୍ଦ୍ରରେ ନୂଆ ପାହ୍ୟା ମିଳିଛି । ଚର୍ଚ୍ଚା ହେଲାଣି ଯେ ଏମାନଙ୍କ ମଧ୍ୟରୁ କେହି ଅଧିକାରୀ ଦିଲ୍ଲୀ ଯାଇ ପାରନ୍ତି ।
ସରକାରୀ ସୂଚନା କହୁଛି, ରାଜ୍ୟରେ ଆଇଏଏସ, ଆଇପିଏସ ମରୁଡି ପଡିଛି । ରାଜ୍ୟରେ ଏବେ ୬୮ ଆଇଏଏସ ଏବଂ ୭୦ରୁ ଊର୍ଦ୍ଧ୍ୱ ଆଇପିଏସ ଅଧିକାରୀ ପଦବୀ ଖାଲି ପଡିଛି । ରାଜ୍ୟରେ ଓଡିଶା କ୍ୟାଡରରେ ୨୪୮ ଆଇଏଏସ ପଦବୀକୁ ଅନୁମୋଦନ ମିଳିଥିବା ବେଳେ ୧୮୦ ଜଣ କାର୍ୟ୍ୟରତ ଅଛନ୍ତି । ୨ ଜଣ ଆଇଏଏସ ଅଧିକାରୀ ଅନ୍ତଃରାଜ୍ୟ ଡେପୁଟେଶନରେ ଯାଇଛନ୍ତି । ୧୬ ଜଣ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି । ଏତେ ସଂଖ୍ୟାରେ ଆଇଏଏସ ଏବଂ ଆଇପିଏଏସ ପଦବୀ ଖାଲି ପଡିବା ଏବଂ ଅଧିକାଂଶ ବାବୁ କେନ୍ଦ୍ର ମୁହାଁ ହେବା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି ।
କେବଳ ଆଇଏଏସ କିମ୍ବା ଆଇପିଏସ ନୁହେଁ ରାଜ୍ୟରେ ସର୍ବଭାରତୀୟ ବନସେବା ଅଧିକାରୀ(ଆଇଏଫଏସ) ପଦବୀ ମଧ୍ୟ ଖାଲି ପଡିଛି । ୧୪୧ ଆଇଏଫଏସଙ୍କ ମଧ୍ୟରୁ ବିଭିନ୍ନ ପଦବୀରେ ୭୨ ଜଣ କାର୍ୟ୍ୟ ରତ ଥିବା ବେଳେ ୬୯ଟି ପଦବୀ ଖାଲିି ପଡିଛି । ତୃଣମୂଳ ସ୍ତରରେ କାର୍ୟ୍ୟ କରୁଥିବା ବହୁ ଆଇଏସ ଅଧିକାରୀ ମଧ୍ୟ ନାହାନ୍ତି । ଓଏଏସ ଏବଂ ଓପିଏସର ବହୁ ପଦବୀ ଖାଲି ଥିବା ବେଳେ ଓଡିଶା ଅର୍ଥ ସେବାରେ ୨୭୪, ବନସେବାରେ ୨୧୧, ରାଜସ୍ୱ ସେବାରେ ୨୬୩ କର୍ମଚାରୀ ନାହାନ୍ତି । ରାଜ୍ୟ ସରକାର ଖାଲି ଥିବା ପଦବୀ ପୂରଣକୁ ଅଗ୍ରାଧିକାର ଦେଉଥିବା ବେଳେ ଏହି ପଦବୀ ପୂରଣ ହୋଇ ନାହିଁ । ଏତେ ସଂଖ୍ୟକ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ଯିବା ଏବଂ ଏତେ ପଦବୀ ଖାଲି ପଡିବା ରାଜ୍ୟ ପ୍ରଶାସନ ପାଇଁ ଶୁଭ ଲକ୍ଷଣ ନୁହେଁ । ସରକାର ଯଦି ଏହାକୁ ଗମ୍ଭୀରତାର ସହ ନ ନିଅନ୍ତି ତେବେ ଆଗାମୀ ଦିନରେ ପ୍ରଶାସନିକ ସଙ୍କଟ ସୃଷ୍ଟି ହେବ ବୋଲି ଅବସର ପ୍ରାପ୍ତ ଆଇଏଏସମାନେ ମତ ଦେଉଛନ୍ତି ।