ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍ଟିଭ୍ ଜେଟି ନିର୍ମାଣ ପାଇଁ ଗୁରୁବାର ଲୋକସେବା ଭବନଠାରେ
ରିହାତି ଚୁକ୍ତିନାମା ସ୍ୱାକ୍ଷରୀତ ହୋଇଛି।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍ଟିଭ୍ ଜେଟି ନିର୍ମାଣ ପାଇଁ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସହିତ ରାଜ୍ୟ ସରକାରଙ୍କ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ୫୨ ମିଲିଅନ ମେଟ୍ରିକ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ସ୍ତରରେ ୨,୧୦୦ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାଧ୍ୟମରେ ୩,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ।
ସେହିଭଳି ୧୬,୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ୟ୍ୟ ପାଇଁ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏହି ଉନ୍ନତିକରଣ କାର୍ଯ୍ୟ ପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନ ହେବ। ଏହା ମାଧ୍ୟମରେ ପ୍ରାୟ ୫ ହଜାର ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ। ଜେ.ଏସ୍.ଡବ୍ଲ ଉତ୍କଳ ଷ୍ଟିଲ ଲିମିଟେଡ୍ ର ପ୍ରେସିଡେଣ୍ଟ ଅନିଲ କୁମାର ସିଂ ଏବଂ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ର ବିଜିନେସ ହେଡ ସନ୍ଦିପ ଜୟସ୍ୱାଲ ଏବଂ ଓଡିଶା ସରକାରଙ୍କ ପକ୍ଷରୁ ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି।