ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର କାର୍ଯ୍ୟରତ ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ୍ ଅଫିସର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟ।ଳୟ ଭିତରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଘଟଣାରେ ପୋଲିସ ଜଣେ କର୍ପୋରେଟରଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଏହାପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ବିଜେଡି ପକ୍ଷରୁ ସୋମବାର ସନ୍ଧ୍ୟାରେ ଜନପଥରେ ରାସ୍ତାରୋକ ହୋଇଥିଲା । ପୋଲିସ ସହ ଧସ୍ତାଧସ୍ତି ପରେ ବିଜେଡି କର୍ମୀମାନଙ୍କୁ ପୋଲିସ ସେଠାରୁ ଉଠାଇ ନେଇଛି ଓ ରାସ୍ତା ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଅତିରିକ୍ତ କମିଶନର ସାହୁ ନିଜ କାର୍ୟ୍ୟାଳୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଥିବାବେଳେ ୬ରୁ ୭ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ଘୋଷାଡ଼ି ନେଇ ମୁହଁକୁ ଗୋଇଠା ମାରିବା ସହ ଅମାନବୀୟ ଢଙ୍ଗରେ ମାଡ଼-ଗାଳି ସହ ରକ୍ତାକ୍ତ କରିଦେଇଥିଲେ । ତାଙ୍କୁ ସେଠାରୁ ଜବରଦସ୍ତି ଏକ ଗାଡ଼ିକୁ ଟାଣି ନେଇ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ନେତାଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ। ଆକ୍ରମଣକାରୀମାନେ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ବିଏମସି ଅତିରିକ୍ତ କମିଶନର ସାହୁ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିବାବେଳେ ବିଏମସିର କର୍ମଚାରୀମାନେ ଏହି ଆକ୍ରମଣର ପ୍ରତିବାଦରେ ଧାରଣାରେ ବସିଥିଲେ । ପରେ ବିଜେଡିର କର୍ମୀ ଓ କର୍ପୋରେଟରମାନେ ସନ୍ଧ୍ୟାରେ ପହଞ୍ଚି ଜନପଥରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ ସହ ସେମାନଙ୍କର ଗଡ଼ଫାଦରଙ୍କୁ ଗିରଫ ନିମନ୍ତେ ଦାବି କରିଥିଲେ ।