ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଏବଂ ମାଆ ସୁଭଦ୍ରା ୮ ଦିନ ମାଉସୀ ମା ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବା ପରେ ଶନିବାର ଶ୍ରୀ ମନ୍ଦିର ଅଭିମୁଖେ ବାହୁଡିଛନ୍ତି। ଲକ୍ଷ୍ୟାଧିକ ଭକ୍ତଙ୍କ ଗହଣରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପାଗ ଅନୁକୂଳ ଥିବାରୁ ଭକ୍ତମାନେ ବେଶ ଆନନ୍ଦରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ମନ ଭରି ଦର୍ଶନ କରିଛନ୍ତି। କିଏ ଆନନ୍ଦରେ ନୃତ୍ୟରେ ନିମଗ୍ନ ରହିଛି ତ ପୁଣି କିଏ ଗୀତ ଗାଇ ନିଜ ଅନ୍ତରର ଭକ୍ତି ଅଜାଡି ଦେଉଛି। ସମସ୍ତେ ହୋଇଛନ୍ତି ଏକାକାର। ସମସ୍ତଙ୍କର ଗୋଟିଏ ଲକ୍ଷ କାଳିଆ ସାଆନ୍ତଙ୍କୁ ରଥରେ ଟିକେ ଦେଖି କୋଟି ଜନ୍ମର ପୂଣ୍ୟ ଅର୍ଜନ କରିବେ। ନିର୍ଦ୍ଧାରୀତ ସମୟରେ ପୁରୀ ଗଜପତି ମହାରାଜା ଦିବ୍ୟ ସିଂ ଦେବ ୩ ରଥରେ ଛେରା ପହଁରା କରିଥିଲେ। ଅପରାହ୍ନରେ ପ୍ରଥମେ ବଳ ଭଦ୍ରଙ୍କ ରଥ ଟଣା ହୋଇଥିଲା। ପରେ ମା ସୁଭଦ୍ର ଏବଂ ଶେଷୟରେ ମହାବାହୁଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିଥିଲେ। କଡା ସୁରକ୍ଷା ବଳୟ ମଧ୍ୟରେ ଗୁଣ୍ଡିଚା ଯ ।ତ୍ରା ଶେଷ ହୋଇଛି। ରବିବାର ଶ୍ରୀ ଜୀୟୁଙ୍କର ସୁନାବେଶ ଅନୁଷ୍ଠିତ ହେବ। ରଥରେ ଶ୍ରୀ ଜୀଉ ମାନଙ୍କୁ ମହଣ ମହଣ ସୁନାରେ ସଜାଇ ଦିଆଯିବ। ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିବାକୁ ଭକ୍ତମାନଙ୍କର ସୁଅ ପୁରୀକୁ ଲାଗିଛି। ସେଥିପାଇଁ ଶ୍ରୀ ମନ୍ଦିର ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।