ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପୁଣି ଥରେ ଭାଜପା ସଭାପତି ହେବେ। ସେ ଏକମାତ୍ର ପ୍ରାର୍ଥୀ ଭାବେ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଔପଚାରିକତା ଦୃଷ୍ଟିରୁ ମଙ୍ଗଳବାର ମନମୋହନଙ୍କୁ ନୂଆ ରାଜ୍ୟ ଭାଜପା ସଭାପତି ଭାବେ ଘୋଷଣା କରାଯିବ। ମନମୋହନ ଏଥରକୁ ମିଶାଇ ୩ ଥର ରାଜ୍ୟ ଭାଜପା ସଭାପତି ଦାୟିତ୍ୱ ତୁଲାଇବେ। ଭାଜପା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ଭାଜପା ପ୍ରଭାରୀ ବିଜୟପାଲ ସିଂ ତୋମାରଏବଂ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ମନମୋହନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ୧୦ଟାରୁ ୧୧ ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ମନମୋହନଙ୍କର ରାଜ୍ୟ ସଭାପତି ଭାବେ ୮ ବର୍ଷର ଅଭିଜ୍ଞତା ରହିଛି। ଗତ ନିର୍ବାଚନରେ ସେ ଚାନ୍ଦବାଲି ବିଧାନସଭାର ଆସନରୁ ବିଜେଡି ପ୍ରାର୍ଥୀ ବ୍ୟୋମୋକେଶ ରାୟଙ୍କ ଠାରୁ ପରାଜିତ ହୋଇଥିଲେ। ତେବେ ତାଙ୍କ ନେୃତ୍ୱରେ ରାଜ୍ୟରେ ଭାଜପା ୨୪ ବର୍ଷର ବିଜେଡି ଶାସନକୁ ହଟାଇବାରେ ସଫଳ ହୋଇଥିବାରୁ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଭାଜପା ମଙ୍ଗ ଆଉ ୩ ବର୍ଷ ପାଇଁ ଧରାଇଛନ୍ତି। ଅନ୍ୟ ପକ୍ଷରେ କାର୍ଯ୍ୟକାଳ ସରିବା ପରେ ମନମୋହନ ଭଳି ବରିଷ୍ଠ ନେତାଙ୍କ ପାଇଁ ସେପରି କୌଣସି ପଦପଦବୀ ନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ନେତୃତ୍ୱ ପୁଣି ଥରେ ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ପୁନର୍ବାରେ ବସାଇବାକୁ ଚିନ୍ତା କଲେ ବୋଲି ଚର୍ଚ୍ଚା ହେଉଛି। ମନମୋହନ ୨୦୨୩ରେ ଭାଜପା ରାଜ୍ୟ ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୨୦୨୫ ଜାନୁୟାରୀ ୧୫ ତାରିଖରେ ଶେଷ ହୋଇଥିଲା। ତେବେ ବିଭିନ୍ନ କାରଣ ପାଇଁ ସଭାପତି ନିର୍ବାଚନ ୫ ମାସ ବିଳମ୍ବ ହୋଇଥିଲା। ଶେଷରେ କେନ୍ଦ୍ରୀୟ ନେତୃତ୍ୱ ମନମୋହନଙ୍କୁ ପୁଣିଥିରେ ସେହି ଆସନରେ ବସାଇବାକୁ ନ ିଷ୍ପତ୍ତି ନେଇଛନ୍ତି।