ଭୁବନେଶ୍ୱର, ନର୍ଲାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଭୁପିନ୍ଦର ସିଂ ପୁଣି କଂଗ୍ରେସକୁ ଫେରି ପାରନ୍ତି । ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ସାଧାରଣ ନିର୍ବାଚନରେ ଭୁପିନ୍ଦରଙ୍କୁ ବିଜେଡି ଟିକେଟ ଦେଇ ନ ଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ବିଜେଡି ନିର୍ବାଚନ ଜିତିବା ପରେ ତାଙ୍କୁ ହୁଏତ କେଉଁ ନିଗମ କିମ୍ବା ବୋର୍ଡରେ ଅଧ୍ୟକ୍ଷ କରିବା ନେଇ ସେ ଆଶାବାନ୍ଧି ବସିଥିଲେ । ବିଜେଡିର ପରାଜୟ ହେବା ପରେ ସେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି । ବିଜେଡିରେ ସେ ଏକ ପ୍ରକାର କଣ ଠେସା ହୋଇ ପଡିଛନ୍ତି । ଦଳରେ ତାଙ୍କୁ ସେତେଟା ଗୁରୁତ୍ୱ ମିଳନୁ ନାହିଁ । ଏଭଳି ପରିସ୍ଥିତିରେ ସେ ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିଯିବାକୁ ମନସ୍ଥ କରିଥିବା କୁହାଯାଉଛି । ଯଦିଓ ସେ ଏ ନେଇ ଖୋଲାଖୋଲି ଭାବେ କୌଣସି ମତ ଦେଇ ନାହାନ୍ତି ତେବେ ତାଙ୍କ ବୟାନରୁ ଏହା ଜଳ ଜଳ ହୋଇ ଦିଶୁଛି । ଜୁନ ୧୧ ତାରିଖରେ କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡିଶା ଆସି କଂଗ୍ରେସକୁ ସଞ୍ଜୀବନୀ ଦେଇ ଯାଇଛନ୍ତି । ଦଳୀୟ ନେତା ଓ କର୍ମୀମାନେ ଉତ୍ସାହିତ ହୋଇଛନ୍ତି । ଓଡିଶାରେ ଆଗାମୀ ଦିନରେ କଂଗ୍ରେସ ଭାଜପାର ବିକଳ୍ପ ଭାବେ ଉଭା ହେବ ବୋଲି କଂଗ୍ରେସ ନେତାମାନେ ଧରି ନେଲେଣି । ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧୀ ଦଳ ବିଜେଡି ରହିଥିଲେ ମଧ୍ୟ କଂଗ୍ରେସ ମହିଳା ନିର୍ଯ୍ୟାତନା ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ସରକାରଙ୍କୁ କଡା ଟାର୍ଗେଟ କରୁଛି । ମାତ୍ର ମୁଖ୍ୟ ବିରୋଧୀ ଦଳ ବିଜେଡି ସେହି ଅନୁପାତରେ ଲୋକଙ୍କ ସମସ୍ୟାକୁ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରି ପାରୁ ନ ଥିବା ଭଳି ମନେ ହେଉଛି । ଏଭଳି ପରିସ୍ଥିତିରେ କଂଗ୍ରେସ ରାଜ୍ୟରେ ନିଜର ହୃତ ଗୌରବକୁ ଫେରାଇ ଆଣିବାକୁ ଜୋରସୋର କସରତ କରିବା ଆରମ୍ଭ କରିଛି । ପୂର୍ବତନ ବିରୋଧୀ ଦଳ ନେତା ଭୁପିନ୍ଦର ସିଂ ଏହାକୁ ଏକ ମୌକା ଭାବି ଏବେ ଠାରୁ ପୁରୁଣା ଦଳକୁ ଫେରିଯିବାକୁ ଆପାତତଃ ସ୍ଥିର କରି ସାରିଲେଣି । ସେ କେବଳ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଦାସଙ୍କ ଇସାରାକୁ ଅପେକ୍ଷା କରିଛନ୍ତି । ଗଣ ମାଧ୍ୟମକୁ ସୂଚନା ଦେଇ ଭୁପିନ୍ଦର କହିଛନ୍ତି ଯେ କଂଗ୍ରେସର ଜାରତୀୟ ନେତୃତ୍ୱ ଓଡିଶାରେ ଆଗାମୀ ଦିନରେ ସୁଯୋଗ ଥିବା ଅନୁଭବ କଲେଣି । ରାଜ୍ୟ କଂଗ୍ରେସ ସବୁ ପୁରୁଖା ନେତାଙ୍କୁ ଆମନ୍ତ୍ରଣ କରୁଛି । ତେବେ ତାଙ୍କ ସହ କେହି ଏ ନେଇ ଆଲୋଚନା କରି ନାହାନ୍ତି ବୋଲି ଭୁପିନ୍ଦର କହିଛନ୍ତି । ଭୁପିନ୍ଦରଙ୍କ ଏଭଳି ଇସାରା କଂଗ୍ରେସକୁ ଢଳିବା ନେଇ ସଙ୍କେତ ଦେଉଛି । ପ୍ରତ୍ୟେକ୍ଷରେ ସ୍ୱୀକାର ନ କଲେ ମଧ୍ୟ ସେ ପରୋକ୍ଷରେ ଏଭଳି ସଙ୍କେତ ଦେଇଛନ୍ତି । ଅନ୍ୟ ପକ୍ଷରେ ସେ ବିଜେଡିକୁ ମଧ୍ୟ କଡା ସମାଲୋଚନା କରିବାକୁ ପଛାଇ ନାହାନ୍ତି । ସେ କହିଛନ୍ତ ିଯେ ୨୦୨୪ ବିପର୍ଯ୍ୟୟ ନେଇ ବିଜେଡି ଭିତରେ ଆଲୋଚନା ହେଲାନି । ଦଳ ଭିତରେ କିଛି ଆଲୋଚନା ହୋଇଥିଲେ କଣ ପାଇଁ ପରାଜୟ ହେଲା ତାହା ଜଣାପଡିଥାଆନ୍ତା । ବିଜେଡି- ଭାଜପା ସମ୍ପର୍କ ଘନିଷ୍ଠ ନେଇ ସାଧାରଣରେ ଆଲୋଚନା ହେଉଛି । ଲୋକଙ୍କ ମନରୁ ତାହାକୁ ବାହାର କରିବା ଦରକାର ।