
ଭୁବନେଶ୍ୱର: ନବୀନ ମିଛ କହିଛନ୍ତି।ମୁଁ ବିଜେଡିରେ ନାହିଁ କହିବା ମହା ମିଛ । ଦଳ ସଭାପତି ଏଭଳି କହିବା ଭୁଲ୍ । ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏଭଳି କହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ।
ସେ କହିଛନ୍ତି ଯେ ନିଲମ୍ବନ ପ୍ରତ୍ୟାହାର ପାଇଁ ସେ ଅନୁରୋଧ କରି ନଥିଲେ । ଦଳର ଆବଶ୍ୟକତା ଥିଲା ବୋଲି ୨୦୧୭ରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ଦଳ ଉଠାଇଥିଲା । ମୁଁ ଦଳରେ ନାହିଁ ବୋଲି ବୁଧବାର ବିଜେଡି ସଭାପତି କହିଥିଲେ । ତାଙ୍କ ଅଫିସ୍ ଏହି ମହାମିଛ ନବୀନଙ୍କ ମୁହଁରେ କୁହାଇଛନ୍ତି ବୋଲି ସେ କହିଛନ୍ତି । ଦଳ ସଭାପତି ଏପରି କହିବା ଠିକ୍ ହୋଇନାହିଁ । ମୁଁ ବିଜେଡିରେ ନାହିଁ କହି ବଡ଼ ଇସ୍ୟୁକୁ ଗୌଣ କରିବା କେତେ ଯୁକ୍ତିଯୁକ୍ତ। ସେ କହିଛନ୍ତି, ୨୦୨୪ ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଛନ୍ତି। ଦଳ ବିଭିନ୍ନ ସମୟରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ତାଙ୍କୁ ବିନିଯୋଗ କରିଛି । ଯେଉଁ ପ୍ରସଙ୍ଗରେ ମୋତେ ଦଳରୁ ସସପେଣ୍ଡ କରାଯାଇଥିଲା । ସେହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଦୋଷି କି ନୁହେଁ କୋର୍ଟରେ ପ୍ରମାଣିତ ହେବ। ମାମଲା ବିଚାରାଧୀନ ଥିଲା ବେଳେ ଚିଟଫଣ୍ଡ କଥା ଉଠାଇବା ମଧ୍ୟ ଠିକ ହୋଇନାହିଁ ବୋଲି ସେ କହିଛନ୍ତି । କାରଣ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । କୋର୍ଟ ଯାହା ରାୟ ଦେବେ, ତାହା ମାନିନେବି ବୋଲି ପ୍ରଭାତ କହିଛନ୍ତି ।
୨୦୨୪ ମସିହାରେ ବାଙ୍କୀରେ ଏକ ନିର୍ବାଚନ ସଭାରେ ଦଳର ଦୁଇ ନମ୍ବର ନେତା କୁହାଯାଉଥିବା ପାଣ୍ଡିଆନ୍ କହିଥିଲେ ଯେ, ୨୦୧୨ରେ ମିଡନାଇଟ୍ ଅପରେସନ ବେଳେ ପ୍ରଭାତ ତ୍ରିପାଠୀ ଦଳ ପାଇଁ ବହୁତ କାମ କରିଛନ୍ତି । ତାଙ୍କ ପ୍ରତି ମୋର ସମ୍ମାନ ସବୁବେଳେ ରହିବ ବୋଲି କହିଥିଲେ । ପ୍ରଭାତଙ୍କ ଅନୁପସ୍ଥିତିରେ ପାଣ୍ଡିଆନ ଏହା କହିଥିବା ସେ କହିଛନ୍ତି । ଏହା ଏବେ ସୋସିଆଲ୍ ମିଡିଆରେ ଘୂରିବୁଲୁଛି । କେବଳ ସେତିକି ନୁହେଁ, ୨୦୧୯ରେ ମଧ୍ୟ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଦଳୀୟ ସଭାରେ ପ୍ରଭାତ ଉପସ୍ଥିତ ଥିଲେ । ତେଣୁ ପ୍ରଭାତ ଦଳରେ ନାହାନ୍ତି ବୋଲି ନବୀନ କହବା କଥାକୁ ପ୍ରଭାତ ନାପସନ୍ଦ କରିଛନ୍ତି । ଦଳ ସଭାପତିଙ୍କୁ ମିଛ ଫିଡବ୍ୟାକ ଦିଆଯାଇ ତାଙ୍କ ବିରୋଧରେ ମହାମିଛ କୁହାଯାଇଛି ବୋଲି ପ୍ରଭାତ ଅଭିଯୋଗ କରିଛନ୍ତି । ସଭାପତି କହିଲା ପରେ ମୁଁ ଆଉ ଦଳରେ ନାହିଁ । ସେତେବେଳେ ଯେଉଁମାନେ ମିଡନାଇଟ ଅପରେସନରେ ଥିଲେ, ଏବେ ସେମାନେ ଏହି ମିଛ କଥା ନବୀନଙ୍କ ମୁହଁରେ କୁହାଇଛନ୍ତି ବୋଲି ନବୀନ କହିଛନ୍ତି।