ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ଏବେ ରାଜନୀତି ଦୋ ଛକିରେ । ରାଜ୍ୟ ଶାସନରେ ଥିବା ବେଳେ ବିଜେଡି ଦୀର୍ଘ ବର୍ଷ ଧରି ଭାଜାପା ପରିଚାଳିତ ଏନଡିଏକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରି ଆସୁଥିଲା । ଗତ ନିର୍ବାଚନରେ ପରାଜୟ ହେବା ପରେ ରାଜ୍ୟରେ ରାଜନୈତିକ ସମୀକରଣ ବଦଳିଛି । ଶାସକ ବିଜେଡି ବିରୋଧୀ ଦଳ ଆସନରେ ବସିଥିବା ବେଳେ ଭାଜପା ଶାସନ କ୍ଷମତାକୁ ଫେରିଛି । ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ବିଜେଡି କେନ୍ଦ୍ର ଓ ର ।ଜ୍ୟରେ ଥିବା ଶାସକ ଭାଜପାକୁ ଖୋଲା ଖୋଲି ବିରୋଧ କରିବାକୁ ସାହସ ଜୁଟାଇ ପାରୁ ନାହିଁ । ସୋମବାର ଭୋଟ ଚୋରୀକୁ ନେଇ ରାଜଧାନୀ ଦିଲ୍ଲୀରେ ବିରୋଧୀ ଦଳ ପକ୍ଷରୁ ଦିଆ ଯାଇଥିବା ସାଂସଦଙ୍କ ର୍ୟାଲିରୁ ଏକଥା ସ୍ପଷ୍ଟ ହୋଇଛି । ବିଜେଡି ରାଜ୍ୟ ସଭା ଏମପିମାନେ ଏହି ର୍ୟାଲିରୁ ନିଜକୁଦୂରେଇ ରଖିଲେ । ଗତ ନିର୍ବାଚନରେ ହାରିବା ପରେ ବିଜେଡି ଭୋଟ ଜାଲିଆତି ଆରୋପ ଲଗାଇଥିଲେ । କେଉଁ କେଉଁ ନିର୍ବାଚନ ମଣ୍ଡଳୀରେ ଭୋଟ ହେରଫେର ହୋଇଛି ସେ ତାଲିକା ପ୍ରସ୍ତୁତ କରି ବିଜେଡି ନେତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ । ମାତ୍ର ଦିଲ୍ଲୀରେ ଯେତେବେଳେ ୩୦୦ ସାଂସଦ ଭୋଟ ଚୋରୀ ଅଭିଯୋଗ ନେଇ ଚାଲି ଚାଲି ର୍ୟାଲିରେ ଗଲେ ସେତେବେଳେ ବିଜେଡି ଏମପିମାନଙ୍କୁ ଦେଖିବାକୁ ମିଳି ନ ଥିଲା । କହିବାକୁ ଗଲେ ବିଜେଡି ଏବେ ଏକ ପ୍ରକାର ତ୍ରିିଶଙ୍କୁ ଅବସ୍ଥାରେ ରହିଛି । ଆଗକୁ ଯାଇ ପାରୁ ନାହିଁ କି ପଛକୁ ଫେରି ପାରୁନି ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମଗ୍ର ଦେଶରେ ଭୋଟ ଚୋରୀ ଓ ଭୋଟର ତାଲିକାରେ ଜାଲିଆତିକୁ େ ନଇ ଅଭିଯୋଗ ଆଣିବା ପରେ ବିଭିନ୍ନ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ମଧ୍ୟ ସମର୍ଥନ କରୁଛନ୍ତି । ମାତ୍ର ବିଜେଡି ଏହି ପ୍ରସଙ୍ଗରେ ବିରୋଧୀଙ୍କ ସାଥିରେ ନାହିଁ । ରାଜ୍ୟରେ ଭାଜପା ଠାରୁ ପରାଜୟ ହୋଇଥିଲେ ମଧ୍ୟ ବିଜେଡି ଭୋଟ ଜାଲିଆତି ପ୍ରସଙ୍ଗରେ କିନ୍ତୁ ବିରୋଧୀମାନଙ୍କ ସ୍ୱରରେ ସ୍ୱର ମିଳାଇ ପାରୁ ନାହିଁ । ଏବେ ପୁଣି ବିଜେଡି-ଭାଜପା ସମ୍ପର୍କକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଲାଣି । ପୂର୍ବରୁ ବିଜେଡି ୱାକଅଫ ବୋର୍ଡ ବିଲ ମତଦାନ ବେଳେ ନିଜକୁଦୂରେଇ ରଖିବା ବେଳେ ଏବେ ସେହି ଅବସ୍ଥାରେ ରହିଛି । ପୂର୍ବରୁ ବିଜେଡି ଭୋଟ ଜାଲିଆତି କଥା ଉଠାଇଥିଲେ ମଧ୍ୟ ସମାନ ପ୍ରସଙ୍ଗରେ ଖୋଲାଖୋଲି ବାହାରିବାକୁ ସାହସ ଜୁଟାଇ ପାରୁ ନାହିଁ । ଅନ୍ୟ ପକ୍ଷରେ ବିଜେଡି ନେତାମାନେ ପ୍ରସଙ୍ଗ ଭିତିକ ସମର୍ଥନ ଦେବା କଥାକୁ ବାରମ୍ବାର ଦୋହରାଇବାରେ ଲାଗିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ କଂଗ୍ରେସ ଭୋଟ ଜାଲିଆତି ପ୍ରସଙ୍ଗକୁ ରାଜ୍ୟରେ ଜୋରସୋର ଉଠାଇ ଚାଲିଛି । କଂଗେସ କାଳେ ଏହି ପ୍ରସଙ୍ଗରେ ମାଇଲେଜ ନେଇଯିବ ବିଜେଡି ନେତାମାନେ ସାମ୍ବାଦିକ ସମ୍ମିଳନୀ ଡାକି ଭୋଟ ଜାଲିଆତି କଥା ଅତି ଧୀରେ ସ୍ୱରରେ କହୁଛନ୍ତି । ଏହାକୁ ନେଇ ବିଜେଡିରେ ଏବେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଆଉ କିଛି ଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବିଜେଡି ଏନଡିଏ ପ୍ରାର୍ଥୀ କିମ୍ବା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେ ନେଇ ଅଙ୍କ କଷା ଚାଲିଛି । ଅନ୍ୟ ପକ୍ଷରେ ଭୋଟ ଚୋରୀକୁ ନେଇ ବିଜେଡିର ନୀରବତା ଉପରେ କର୍ମୀମାନେ ମଧ୍ୟ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି । ଏଠାରେ ପ୍ରଶ୍ନ ଉଠୁଛି ଯେ ନିର୍ବାଚନ ପରେ ଭୋଟ ଜାଲିଆତିକୁ ନେଇ ବିଜେଡି ଆଣିଥିବା ଅଭିଯୋଗ ଉପରେ ବିରୋଧୀଙ୍କୁ ସମର୍ଥନ କରିବା ନା ଏହି ପ୍ରସଙ୍ଗରୁ ଓହରି ଯିବ ତାହା ଉପରେ ଏବେ ସଭିଙ୍କ ନଜର ।