
୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ନିମନ୍ତେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଆଜିର ଦିନ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ । ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ୱାଧୀନତା ବିଷୟରେ ସଚେତନ କରିବା ସହିତ ଦେଶର ଏକତା ଓ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତ୍ତରେ ସ୍ମରଣ କରାଇ ଥାଏ । ଆତଙ୍କବାଦ ବିରୁଦ୍ଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର
ହୋଇଛି । ଗତ ଏପ୍ରିଲ ୨୨ ତାରିଖର ପହଲଗାମଠାରେ ଯେପରି ଭାବେ ନିରୀହ ଲୋକଙ୍କୁ ଧର୍ମ ପଚାରି ବର୍ବୋରୋଚିତ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ସାଧାରଣ ଆତଙ୍କୀ ଆକ୍ରମଣ ନ ଥିଲା, ଏହା ଭାରତର ଜାତୀୟତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ ଆକ୍ରମଣ ଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ ଜରିଆରେ ତା’ର ଉପଯୁକ୍ତ ଜବାବ୍ ଦେଇଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ସମ୍ମାନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଭାରତୀୟ ସେନା ବାହିନୀର ବୀରତ୍ୱକୁ ପ୍ରଶଂସା କରିଥିଲେ ।
ଗତ ୧୪ ମାସ ହେବ ଓଡିଶା ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି । ମହିଳା, ଅନ୍ନଦାତା, ଗରିବ ଏବଂ ଯୁବବର୍ଗଙ୍କ ସହଯୋଗରେ ଏହାର ସଫଳ ରୂପାୟନ ପାଇଁ ସରକାର ଜୀବନଜୀବିକା, ଭିତ୍ତିଭୂମି, ସାମାଜିକ ବିକାଶ ଓ ସଶକ୍ତି କରଣ ଏବଂ ଓଡିଆ ଅସ୍ମିତା ଉପରେ ପ୍ରାଧାନ୍ୟ ଦେଉଛନ୍ତି । କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆ ଯାଉଛି । ଜୀବନଜୀବିକାର ଆଉ ଏକ ଦିଗ ହେଉଛି ଶିଳ୍ପାୟନ । ଆମ ସରକାର ଆସିବା ପରେ ଶିଳ୍ପନୀତିରେ ଆମୂଳଚୁଳ ପରିବର୍ତ୍ତନ କରାଯାଇ ପୁଞ୍ଜିବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି । ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସହିତ ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ପ୍ରମାଣ ସ୍ୱରୂପ ଗତ ଛଅ-ସାତ ମାସ ମଧ୍ୟରେ ଓଡ଼ିଶାରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ଏକ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିିବିନିଯୋଗ କରାଯାଇ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରାଯାଇଛି । ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନାର ଲାଭ ଉଠାଇ ଆତ୍ମନିର୍ଭରଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ, ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ସଫଳ ହୋଇଛି । ସଂଗଠିତ ଅପରାଧ ଉପରେ ସ୍ୱତନ୍ତ୍ର ଆଇନ ଅଣାଯିବା ସହ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ । ଓଡ଼ିଶାରେ ଆଗାମୀ ଦଶନ୍ଧି ପାଇଁ ସେ ସରକାରଙ୍କ ଦୃଷ୍ଟିକୋଣର ରୂପରେଖ ଦେଇ କହିଲେ ଯେ ରାଜ୍ୟ ୨୦୩୬ ସୁଦ୍ଧା ଭାରତର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତିରେ ପ୍ରବେଶ କରିବାକୁ ଯାଉଛି । ଓଡ଼ିଶାକୁ ଏକ ଔଷଧ କେନ୍ଦ୍ର ଏବଂ ସେମିକଣ୍ଡକଫର ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ରୂପେ ପରିଗଣିତ କରାଯିବା ସହ ୩.୫ ଲକ୍ଷରୁ ଅଧିକ ନିଯୁକ୍ତିସୁଯୋଗ ସୃଷ୍ଟି କରାଯିବ । ମହିଳା ବିରୋଧୀ ଅପରାଧ ପାଇଁ ଶୂନ୍ୟ ସହନଶୀଳତା ଗ୍ରହଣ କରାଯାଇ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଦ୍ରୁତ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଛି । ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଲାଗୁ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି କ୍ଷେତ୍ରରେ ପ୍ରାରମ୍ଭିକ ୬୫,୦୦୦ ଲକ୍ଷ୍ୟକୁ ଅତିକ୍ରମ କରି ଏବେ ଦୁଇ ବର୍ଷ ମଧ୍ୟରେ ୮୫,୦୦୦ ସରକାରୀ ପଦବୀ ପୂରଣ ହେବାକୁ ଯାଉଛି । ଭୋକାଲ୍ ଫର୍ ଲୋକାଲ୍କୁ ସମର୍ଥନ କରି ସପ୍ତାହରେ ଅତି କମରେ ଥରେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ସେ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ । ଜଗନ୍ନାଥ ଧାମକୁ ଏକ ବିଶ୍ୱସ୍ତରୀୟ ଧାର୍ମିକ ଏବଂ ସାଂସ୍କୃତିକ ଗନ୍ତବ୍ୟସ୍ଥଳରେ ପରିଣତ କରିବା ସହ ପୁରୀକୁ ଏକ ମହାନଗର ନିଗମ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ । କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣବଳୀ ଦେଇଥିବା ସୁରକ୍ଷା କର୍ମଚାରୀମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ପୋଲିସ ସ୍ମାରକୀ ଘୋଷଣା କରାଯାଇଛି, ଯାହା ସେମାନଙ୍କର ତ୍ୟାଗ ଓ ବଳିଦାନ ପାଇଁ ହେବ ଶ୍ରେଷ୍ଠ ନିଦର୍ଶନ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଭିତ୍ତିଭୂମି, ପରିବେଶ, ଐତିହ୍ୟ, ସଂସ୍କୃତି, ଏହି ସମସ୍ତ କ୍ଷେତ୍ରରେ ସରକାର ଧ୍ୟାନଦେବା ପୂର୍ବକ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ୨୦୩୬କୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସରକାର ୩୬ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଏକ ପେଡ୍ ମା କେ କେ ନାମ’ ଅଧୀନରେ ପିଏମ ମୋଦୀଙ୍କ ୭୫ ତମ ଜନ୍ମଦିନରେ ସାରା ରାଜ୍ୟରେ ୭୫ ଲକ୍ଷ ଗଛ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଏହି ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ପ୍ୟାରେଡ୍ ୫୦ ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ । ଏହି ପ୍ଲାଟୁନଗୁଡିକ ମଧ୍ୟରେ ୧୨୦ ବାଟାଲିୟନ, ସୀମା ସୁରକ୍ଷା ବଳ, ସିଆରପିଏଫ, ଆଇଟିବିପି, ଏସଓଜି ଚନ୍ଦକା, ଆନ୍ଧ୍ରପ୍ରଦେଶ ସଶସ୍ତ୍ର ପୁଲିସ ବାହିନୀ, ଭୁବନେଶ୍ୱରସ୍ଥିତ ବିଭିନ୍ନ ସ୍କୁଲର ଏନସିସି, ସ୍କାଉଟ ଓ ଗାଇଡ, ରେଡ୍କ୍ରସ ପ୍ରଭୃତି ଯୋଗଦେଇଥିଲେ । ଭାରତୀୟ ପୋଲିସ ସେବା ଅଧିକାରୀ ଅନନ୍ୟା ଅବସ୍ଥି ପ୍ୟାରେଡ୍ ପରିଚାଳନା କରିଥିଲେ ।
୨୦୨୫ ଜାନୁଆରୀ ୨୬ରେ ଅନୁଷ୍ଠିତ ପରେଡ୍ରେ ଭାଗ ନେଇଥିବା ପ୍ଲାଟୁନମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ଲାଟୁନମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଥିଲେ । ସର୍ବୋତ୍ତମ ୟୁନିଫର୍ମ ସଶସ୍ତ୍ର ବାହିନୀ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ଶ୍ରେଷ୍ଠ ରାଜ୍ୟ ସଶସ୍ତ୍ର ପ୍ଲାଟୁନ୍ ଭାବେ ଭୁବନେଶ୍ୱର ଚନ୍ଦକାର ଏସ୍ଓଜି, ଏନସିସିରେ ଶ୍ରେଷ୍ଠ ସିନିୟର ବିଭାଗରେ ଏନସିସି ବାଳକ ଓ ବାଳିକା ପ୍ଲାଟୁନ, ଶ୍ରେଷ୍ଠ କନିଷ୍ଠ ଏନ୍ସିସି ବିଭାଗରେ ସୈନିକ ସ୍କୁଲ ଭୁବନେଶ୍ୱର ଓ ଶ୍ରେଷ୍ଠ ଅଣ-ଏନ୍ସିିସି ସ୍କୁଲରେ ବାଳକ ବିଭାଗରେ ବିଜେଇଏମ୍ ସ୍କୁଲ, କଳ୍ପନା ଛକ ଓ ବାଳିକା ବିଭାଗରେ ବିଜେଇଏମ୍ ସ୍କୁଲ, ଭୁବନେଶ୍ୱର, ଶ୍ରେଷ୍ଠ ସ୍କୁଲ ବ୍ୟାଣ୍ଡରେ କ୍ୟାପିଟାଲ୍ ଗାର୍ଲସ୍ ହାଇସ୍କୁଲ, ୟୁନିଟ୍-୨ ପୁରସ୍କୃତ ହୋଇଥିଲେ । ସେହିପରି ୨୦୨୫ ଜାନୁଆରୀ ୨୬ରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିବା ପ୍ରଜ୍ଞାପନ ମେଢ଼ମାନଙ୍କୁ ପୁରସ୍କୃତ କରାଯାଇଥିଲା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ‘ଜିଆଇ ଟ୍ୟାଗ୍ ଉତ୍ପାଦ’ ପ୍ରଥମ ପୁରସ୍କାର ପାଇଥିବାବେଳେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ସହରାଞ୍ଚଳ ପରିବହନ’ ପାଇଁ ଦ୍ୱିତୀୟ ପୁରସ୍କାର ପାଇଥିଲେ । ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ‘ମଲଫିମୋଡାଲ ଟ୍ରାନ୍ସପୋର୍ଟ’ ତୃତୀୟ ପୁରସ୍କାର ପାଇଥିଲେ ।