
ଭୁବନେଶ୍ୱର(ବ୍ୟୁରୋ)-ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଆଉ ୫ ଦିନ ବାକି ରହିଛି। ଏ ପର୍ଯ୍ୟନ୍ତ ବିଜୁ ଜନତା ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନଡିଏ ସପକ୍ଷରେ ଯିବେ ନା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀକୁ ସମର୍ଥନ କରିବେ ସେ ନେଇ ଏ ଯାଏ ନିଷ୍ପତ୍ତି ନେଇ ନାହାନ୍ତି। ହାତରେ ଆଉ ଅଳ୍ପ ଦିନ ବାକି ରହିଥିବାରୁ ନବୀନଙ୍କ ନିଷ୍ପତ୍ତି କେଉଁ ଆଡକୁ ଯିବ ତା ଉପରେ ଏବେ ସଭିଙ୍କ ନଜର। ଉପରାଷ୍ଟ୍ରପତି ନିର୍ବାଚନ ନିଷ୍ପତ୍ତିକୁ ନେଇ ଦଳର ନେତାଠୁ କର୍ମୀ ସମସ୍ତେ ଦ୍ୱନ୍ଦ୍ୱରେ ପଡିଛନ୍ତି। ଯାହାଙ୍କୁ ପଚାରିଲେ ଉତ୍ତର ମିଳୁଛି ଠିକ ସମୟରେ ଦଳର ସଭାପତି ଠିକ୍ ନିଷ୍ପତ୍ତି ନେବେ। ବିଜେଡି ଏମପିମାନେ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ନିଷ୍ପତ୍ତିକୁ ନେଇ ସନ୍ଦୀହାନ ରହିଛନ୍ତି। ସମସ୍ତେ ନବୀନଙ୍କୁ ଅପେକ୍ଷା କରିଛନ୍ତି।
ପୂର୍ବରୁ ବିଜେଡି ରାଜ୍ୟ ଶାସନରେ ଥିବା ବେଳେ ଭାଜପା ପରିଚାଳିତ ଏନଡିଏକୁ ସମର୍ଥନ କରି ଆସୁଥିଲା। ରାଷ୍ଟ୍ରପତି, ଉପରାଷ୍ଟ୍ରପତି କିମ୍ବା ଅନ୍ୟାନ୍ୟ ଇସ୍ୟୁରେ ବିଜେଡି ଏନଡିଏକୁ ସମର୍ଥନ କରୁଥିଲା। କିନ୍ତୁ ଏବେ ରାଜନୈତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ହୋଇଛି। ବିଜେଡି ହାତରୁ ରାଜ୍ୟ ଶାସନ ଭାର ଭାଜପା ଛଡାଇ ନେଇଛି। ବିଜେଡି ଏବେ ବିରୋଧୀ ଦଳ ଭୁମିକା ନିର୍ବାହ କରୁଛି। ଏଭଳି ପରିସ୍ଥିତିରେ କଣ କରାଯିବ ସେ ନେଇ ବିଜେଡି ଦ୍ୱନ୍ଦ୍ୱରେ ପଡିଛି। ଭାଜପା ସହିତ ପୂର୍ବଭଳି ସମ୍ପର୍କ ରଖିବ ନା ବିବେକାନୁସାରେ ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବ ତାହା ଏବେ ବିଜେଡି ସୁପ୍ରିମୋଙ୍କୁ ଚିନ୍ତାରେ ପକାଇଛି।
ଗତ କିଛିମାସ ତଳେ ପାର୍ଲାମେଣ୍ଟରେ ଆଗତ ୱାକଅଫ୍ ବୋର୍ଡ ବିଲ ମତଦାନକୁ ନେଇ ବିଜେଡିରେ ଗୋଷ୍ଠୀ କନ୍ଦଳ ଓ ବୟାନବାଜି ଦେଖିବାକୁ ମିଳିଥିଲା। ବିଜେଡି ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ମତଦାନରୁ ବିରତ ରହିଥିବା ବେଳେ ସସ୍ମିତ ପାତ୍ର ଓ ଅନ୍ୟମାନେ ବିଲ ସପକ୍ଷରେ ମତ ଦେଇଥିବା କଥା ପଦାକୁ ଆସିଥିଲା। ଏହାକୁ ନେଇ ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟ ରାଜ୍ୟ ସଭା ଏମପି ମୁନ୍ନା ଖାଁ ପ୍ରବଳ ବିରୋଧ କରିବା ସହ ନିଜ ସମର୍ଥକଙ୍କୁ ନେଇ ନବୀନ ନିବାସ ଯାଇଥିଲେ। ତାଙ୍କ ସମର୍ଥକ ମାନେ ପାଣ୍ଡିଆନ ହଟାଅ ନାରାବାଜି ଦେଇଥିଲେ। ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହାକୁ ନେଇ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଏବେ ବିଜେଡି ସମ୍ମୁଖ୍ରେ ବଡ ଆହ୍ୱାନ ଦେଖା ଦେଇଛି। ଏନଡିଏ ସମର୍ଥୀତ ପ୍ରାର୍ଥୀଙ୍କୁ ସମର୍ଥନ କଲେ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟକୁ କି ବାର୍ତ୍ତା ଯିବ ସେ ନେଇ ବିଜେଡି ଆଗରେ ଏକ ବଡ ପ୍ରଶ୍ନ ଛିଡା ହୋଇଛି। ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ବିଜେଡି-ଭାଜପା ଭାଇ ଭାଇ କହି କଂଗ୍ରେସ ଏହାର ଫାଇଦା ଉଠାଇବ। ଇଣ୍ଡିଆ ମେଣ୍ଟକୁ ଯଦି ସମର୍ଥନ କରିବ ତେବେ ଭାଜପା ମଧ୍ୟ ସମାନ କଥା କହି ବିଜେଡିକୁ ସିମାଲୋଚନା କରିବ। ଏଭଳି ପରିସ୍ଥିତିରେ ବିଜେଡିର ସମଦୂରତ୍ୱ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠିପାରେ। ନବୀନ ନିଜର ସାଂସଦମାନଙ୍କୁ ବିବେକାନୁମୋଦିତ ମତଦାନ କରିବାକୁ କହି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟ ପକ୍ଷରେ ଅସୁସ୍ଥତା ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜନାଥ ସିଂ ନବୀନଙ୍କୁ ଫୋନ କରି ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ। ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ପାଇଁ ମଧ୍ୟ କହିଥିବା ଶୁଣିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ନବୀନ ନିବାସ ଯାଇ ନବୀନଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିବା ସହ ଉପ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ସେହିପରି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟ ଫୋନ କରି ନବୀନଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ। ଉଭୟ ମେଣ୍ଟ ଉପରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ସମର୍ଥନ ପାଇବାକୁ ଆଶାବାନ୍ଧିଛନ୍ତି। ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଓ ଇଣ୍ଡିଆ ମେଣ୍ଟ ପ୍ରାଥି ବି.ସୁଦର୍ଶନ ରେଡ୍ଡୀ ଦକ୍ଷିଣ ଭାରତରୁ ଆସୁଛନ୍ତି। ଏଭଳି ସ୍ଥ୍ିତିରେ ନବୀନ କାହାକୁ ସମର୍ଥନ କରିବେ ତାହା ଉପରେ ଏବେ ସଭିଙ୍କ ନଜର।