
ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ହେଲେ ନିର୍ବାଚନରେ ବିଜେଡି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ବ ନା ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି। ଦଳର ସଭାପତି ନବୀନ ପଟ୍ଟନାୟକ କିଛି ନିଷ୍ପତ୍ତି ନେବା ପୂର୍ବରୁ ଶନିବାର ନବୀନ ନିବାସ ଠାରେ ଦଳର ରାଜନୈତିକ ବ୍ୟାପାର କମିଟି ସହ ଆଲୋଚନା କରିଛନ୍ତି। କମିଟିର ସଦସ୍ୟମାନଙ୍କ ମତ ଶୁଣିବା ପରେ ନବୀନ କହିଛନ୍ତି ଯେ କାହାକୁ ସମର୍ଥନ କରିବା କି ନାହିଁ ଖୁବ୍ଶୀଘ୍ର ଜଣାଇଦିଆଯିବ।
ପିଏସି କମିଟି ସଦସ୍ୟମାନେ ନବୀନ ନିବାସକୁ ଯିବା ପୂର୍ବରୁ ଶଙ୍ଖ ଭବନରେ ଦଳର କେତେକ ବରିଷ୍ଠ ନେତାଙ୍କର ଏକ ବୈଠକ ବସିଥିଲା। ଏଥିରେ ଅଧିକାଂଶ କହିଥିଲେ ଯେ ଆମେ କୌଣସି ପରିସ୍ଥିତିରେ ଏନ୍ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବାନି। ଯଦି ଏନ୍ଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ତେବେ ସମସ୍ତେ କହିବେ ଆମେ ଭାଜପାକୁ ଡରି ଭୋଟ ଦେଲୁ। ଏବେ ବି ବିଜେଡି-ଭାଜପା ଏକାଠି ଅଛନ୍ତି। ଆଗାମୀ ଦିନରେ ଏହା ଆମ ଦଳ ସପକ୍ଷରେ ଯିବନି। ସେହିପରି କେତେକ ସଦସ୍ୟ କହିଥିଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ଅସୁବିଧା କ’ଣ । ଏହାକୁ ବିରୋଧ କରି ଦୁଇ ଜଣ ବରିଷ୍ଠ ନେତା କହିଥିଲେ ଯଦି ଏନ୍ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବାନି ତେବେ ଇଣ୍ଡି ମେଣ୍ଟଆ ପ୍ରାର୍ଥୀଙ୍କୁ କାହିଁକି ଭୋଟ ଦେବା । ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ସମସ୍ତେ କହିବେ ବିଜେଡି-କଂଗ୍ରେସ ସହ ମିଶିବାକୁ ଚାହୁଁଛି। ଏହାପରେ ବୈଠକରେ ଅଧିକାଂଶ ନେତାଙ୍କ ମତ ହେଲା ଯଦି ଏପରି ପରିସ୍ଥିତି ହେଉଛି ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ୱାକ୍ଆଉଟ୍ କରୁ। ଅର୍ଥାତ୍ କୌଣସି ପ୍ରାର୍ଥୀଙ୍କୁ ଭୋଟ ନଦେଉ।
ଏହାପରେ ନବୀନ ନିବାସରେ ବସିଥିବା ବୈଠକରେ ନବୀନ ସମସ୍ତ ସଦସ୍ୟଙ୍କୁ ତାଙ୍କ ମତ ପଚାରିଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ବି ସଦସ୍ୟ ଏନ୍ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ସପକ୍ଷରେ ମତ ଦେଇନ ଥିବା ଜଣା ପଡିଛି । ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ ଶଙ୍ଖ ଭବନରେ ହୋଇଥିବା ବୈଠକ ଏବଂ ଏଠାରେ ହୋଇଥିବା ଆଲୋଚନା ସମ୍ପର୍କରେ ନବୀନଙ୍କୁ ଜଣାଇଥିଲେ। ପିଏସି କମିଟି ସଦସ୍ୟମାନେ କହିଥିଲେ ଦଳର ବରିଷ୍ଠ ନେତାଙ୍କ ମତ ଯାହା ଆପଣଙ୍କୁ ଜଣାଇଲୁ, ଆପଣ ଯାହା ନିଷ୍ପତ୍ତି ନେବେ ଦଳ ମାନିବ।
ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ପିଏସି ବୈଠକରେ ଆଲୋଚନା
ଅଧିକାଂଶ ନେତାଙ୍କ ମତ କାହାକୁ ଭୋଟ ଦେବାନି।
ଆଜିଠୁ ନବୀନ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଦିଲ୍ଲୀରୁ ଗ୍ରୀନ ସିଗ୍ନାଲ ପାଇବା ପରେ ନବୀନ ଚୁଡାନ୍ତ ନିଷ୍ପତି ନେଇପାରନ୍ତି। ତେବେ ଉପ ରାଷ୍ଟ୍ରପତି ନିର୍ବାଚନକୁ ନେଇ ନବି। ଦ୍ଵନ୍ଦ ରେ ପଡିଛନ୍ତି। ଦିଲ୍ଲୀରେ ରାଜନୈତିକ ପାଣିପାଗ ଓ ଚପକୁ ଦେଖି ନିଷ୍ପତି ନେବେ। ରାଜନୈତିକ ବିସ୍ଲେଶକଙ୍କ ମାତା ଯେ ନବୀନ ଏଣ୍ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନି ଜ ଦଳର ଏମ୍ପିଙ୍କୁ କହି ପାରନ୍ତି ନ ଚେତ୍ ଭୋଟ ଦାନରୁ ବିରତ ରହି ପାରନ୍ତି। ଭୋଟ ଦାନରୁ ବିରତ ଥିଲେ ମଧ୍ୟ ବିଜେଡି ପରୋକ୍ଷରେ ଏନଡି ଏକୁ ସମର୍ଥନ କଲା ବୋଲି ଧରିନିଆଯିବ। ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେଡି ସରକାର ଥିବାରୁ ବିଜେଡି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଆଶା କ୍ଷୀଣ ବୋଲି କୁହାଯାଉଛି।
ଅନ୍ୟ ପକ୍ଷରେ ବୈଠକ ପରେ ଦଳର ବରିଷ୍ଠ ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ପିଏସି ସଦସ୍ୟମାନେ ନିଜ ନିଜର ମତାମତ ଦେଇଛନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ଦଳ ସଭାପତି ନେବେ। ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନକୁ କିଭଳି ସୁଦୃଢ଼ କରାଯିବ, ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରାହେବ ତାହା ଉପରେ ଗୁରୁତ୍ୱ ଦେବାକୁ ସଭାପତି ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପିଏସି ସଦସ୍ୟ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ସନ୍ତୃପ୍ତ ମିଶ୍ର ଓ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ପଟ୍ଟନାୟକ ରବିବାରଠୁ ୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ନବୀନ ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପାରନ୍ତି। ନବୀନ ଅସୁସ୍ଥ ଥିବାବେଳେ ମୋଦୀ ଫୋନ୍ କରି ଆଶୁ ଆରୋଗ୍ୟ କାମନା କରିଥିଲେ। ଦିଲ୍ଲୀ ଆସିଲେ ଭେଟିବାକୁ ବି କହିଥିଲେ। ତେଣୁ ନବୀନ ଏହି ଦିଲ୍ଲୀ ଗସ୍ତରେ ମୋଦୀଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରିବାକୁ ନବୀନଙ୍କ ଉପରେ ଚାପ ପଡ଼ୁଥିବାରୁ ନବୀନ ଏନେଇ ବିଜେପିର କେତେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି। ଆଉ ଉପରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପର୍ୟ୍ୟନ୍ତ ଦିଲ୍ଲୀରେ ରହି ସ୍ଥିତି ଉପରେ ନଜର ରଖିବେ। ୱକଫ୍ ବିଲ୍ ଭୋଟିଂ ସମୟରେ ଦଳ ଭିତରେ ଯେଉଁ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ତାହା ଯେମିତି ପୁନରାବୃତ୍ତି ନହେବ ସେନେଇ ନଜର ରଖିବେ।